Advertisement

ହାତୀ ଆକ୍ରମଣରେ ଦିବ୍ୟାଙ୍ଗ ଗୁରୁତର

ବାଉଁଶୁଣୀ,୩ା୪(ଡି.ଏନ୍‌.ଏ.): ଏବେ ଗାଁ ମୁହାଁ ହୋଇଛନ୍ତି ହାତୀ। ସୋମବାର ସକାଳେ ବୌଦ୍ଧ ଜିଲା ତାଲସରଡ଼ା ପଞ୍ଚାୟତ ଗୋବିନ୍ଦପୁର (ବସ୍ତମପୁର)ରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ଗ୍ରାମର ୨/୩ ଜଣ ବ୍ୟକ୍ତି ଗୋଠସାହି ପାଖରେ ଥିବା କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଗୋଟିଏ ହାତୀ ନେପାଳ ବେହେରା(୩୫) ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଶୁଣ୍ଢରେ ଟେକି ଦେଇଥିଲା। ଫଳରେ ସେ ଛିଟିକି ପଡ଼ିଥିଲେ। ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେ ଏବେ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୌଭାଗ୍ୟ ବଶତଃ ହାତୀ ତା’ର ଦିଗ ବଦଳେଇ ଚାଲିଯିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଁ ଲୋକେ। ହାତୀ ଗାଁ ମୁହାଁ ହେବା ଦେଖି ଗ୍ରାମବାସୀ ଫରେଷ୍ଟରଙ୍କୁ ଫୋନ୍‌ କରିଥିଲେ ହେଲେ ତାଙ୍କ ମୋବାଇଲ ଅଫ୍‌ ରହିଥିଲା। ହାତୀ ଗାଁ ଭିତରେ ପଶି ସାରିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛି। ଏବେ ବନ ବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ବହୁ ଉଦ୍ୟମ ପରେ ବସ୍ତପୁର ଦେଇ ହାତୀ ବଲାକିରା ପଳାଇଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ହାତୀକୁ ଜଙ୍ଗଲ ଅଭିମୁଖେ ଘଉଡ଼ାଇବାକୁ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share