ଏକତରଫା ପ୍ରେମ: ରାଜଧାନୀରେ ମହିଳାଙ୍କୁ ଛୁରି ଭୁସି ହତ୍ୟା

ଭୁବନେଶ୍ୱର,୨୯।୨(ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ବାପୁଜୀନଗରରେ ଜନୈକା ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ମୃତା ମହିଳା ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍‌ ଗୋପୀମୋହନପୁର ପଞ୍ଚାୟତ ଛଅମଉଜ ଗ୍ରାମର ଗୀତାଞ୍ଜଳି ରଞ୍ଜିତ୍‌ ଓରଫ ଦୀପିକା ରାଣୀ। ଅଭିଯୁକ୍ତ ଯୁବକ ଗୀତାଞ୍ଜଳିଙ୍କୁ ଏକତରଫା ପ୍ରେମ କରୁଥିଲେ। ପ୍ରେମରେ ବିଫଳ ହେବାରୁ ଯୁବକ ଜଣକ ମଙ୍ଗଳବାର ସାରେ ତାଙ୍କୁ ଛୁରି ଭୁସି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଗୀତାଞ୍ଜଳିଙ୍କୁ ତାଙ୍କ ସ୍ବାମୀ କୁଞ୍ଜବିହାରୀ ଦତ୍ତ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ପରେ ତାଙ୍କୁ ସେଠାରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଗୀତାଞ୍ଜଳ ଆଖି ବୁଜିଛନ୍ତି। ଏ ସଂକ୍ରାନ୍ତରେ ସ୍ବାମୀ କୁଞ୍ଜବିହାରୀ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ଜଣକ ଜଣେ ଫର୍ନିଚର ଦୋକାନୀ ବୋଲି ସୂଚନା ମିଳିଥିଲେ ମଧ୍ୟ ତାଙ୍କ ପରିଚୟ ଜଣାପଡିନାହିଁ। ପୋଲିସ ତାଙ୍କୁ ଧରିବାକୁ ଖୋଜାଖୋଜି କରୁଛି। ଗୀତାଞ୍ଜଳିଙ୍କ କୁନି ଝିଅ ମା’ ଛେଉଣ୍ଡ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, କୁଞ୍ଜବିହାରୀ ୪ ବର୍ଷ ତଳେ ବାଲିଆପାଳ ବ୍ଲକ୍‌ ସୁନାରୋହି ଗାଁର ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ୨୦୨୩ ମାର୍ଚ୍ଚରେ କୁଞ୍ଜବିହାରୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଗୀତାଞ୍ଜଳି ଘରୁ ପଳାଇ ଖରିଦା ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହି କାରଣକୁ ନେଇ କୁଞ୍ଜବିହାରୀଙ୍କ ଘରେ ବିବାଦ ଦେଖାଦେଇଥିଲା। କୁଞ୍ଜବିହାରୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀଙ୍କୁ ବୁଝାଇ ଘରକୁ ଆଣିଥିଲେ। ହେଲେ ପରିବାର ଲୋକ ଗୀତାଞ୍ଜଳିଙ୍କୁ ବିରୋଧ କରିଥିଲେ। ତେଣୁ କୁଞ୍ଜବିହାରୀ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ନେଇ ପ୍ରାୟ ୭ ମାସ ହେବ ଭୁବନେଶ୍ୱର ଚାଲିଆସିଥିଲେ। କୁଞ୍ଜବିହାରୀ ବାପୁଜୀନଗରରେ ଏକ ମୋବାଇଲ୍‌ ମରାମତି ଦୋକାନ କରି ପରିବାର ଚଳାଉଥିଲେ। ସେମାନେ ଶିଶୁଭବନ ଛକ ନିକଟରେ ଭଡ଼ା ଘର ନେଇ ରହୁଥିଲେ। ତେବେ ଅଭିଯୁକ୍ତ ଜଣକ ଗୀତାଞ୍ଜଳିଙ୍କୁ ଏକତରଫା ପ୍ରେମ କରି ହଇରାଣ କରୁଥିଲେ ବୋଲି ସ୍ବାମୀ କୁଞ୍ଜବିହାରୀ ପୋଲିସକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ଗୀତାଞ୍ଜଳିଙ୍କ ମୃତଦେହକୁ ସ୍ବାମୀ ପୈତୃକ ଗାଁକୁ ନେଇଯାଇଥିବା ଜଣାପଡ଼ିଛି।

Share