୧୨୯ ପିଲାଙ୍କୁ ଜଣେ ଶିକ୍ଷକ

କର୍ଲାମୁଣ୍ଡା,୨୯।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଜଣେ ମାତ୍ର ସରକାରୀ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ୧୯୮୪ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୪୧ଜଣ ଛାତ୍ରୀଛାତ୍ର ଓ ନବମ ଶ୍ରେଣୀରେ ୮୮ଜଣ ଛାତ୍ରୀଛାତ୍ର ରହିଛନ୍ତି। ଏହି ପିଲାଙ୍କୁ ପାଠ ପଢାଇବାକୁ ଜଣେ ମାତ୍ର ସରକାରୀ ଗଣିତ ଶିକ୍ଷକ ରହିଥିବା ବେଳେ ୫ଜଣ ଅବସର ପ୍ରାପ୍ତ ଶିକ୍ଷକ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଉକ୍ତ ଅତିଥି ଶିକ୍ଷକମାନଙ୍କୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ନିଯୁକ୍ତି ମିଳିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ଶିକ୍ଷକ ନୃସିଂହ ସାମନ୍ତ ୨୦୧୮ରେ, ୨୦୨୦ରେ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା ଓ ପିଅନ ପ୍ରେମାନନ୍ଦ ଭୋଇ, ୨୦୨୨ରେ ହିନ୍ଦୀ ଶିକ୍ଷକ ବସନ୍ତ ପଟ୍ଟନାୟକ, ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ ଷଡଙ୍ଗୀ, ଖେଳ ଶିକ୍ଷକ ବେଣୁଧର ନାଗ, ୨୦୨୩ରେ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ ଓ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଅବସର ନେବା ପରେ କେବଳ ଜଣେ ମାତ୍ର ଗଣିତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ରହିଛନ୍ତି। ଅନ୍ୟପଟେ ଚଳିତ ମାସ ୩୧ ତାରିଖରେ କିରାଣି ଅମ୍ବିଲାଲ ସାହୁ ଅବସର ନେବେ। ଏ ନେଇ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶ୍ରେଣୀ ଗୃହର ଅଭାବ ରହିଛି ବୋଲି କହିଛନ୍ତି। ପୂର୍ବରୁ ଏହି ବିଦ୍ୟାଳୟରେ ୨୫୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ ପାଇଁ ନାମ ଲେଖାଉଥିଲେ। ବର୍ତ୍ତମାନ ଶିକ୍ଷକ ସମସ୍ୟା ଥିବାରୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନନ୍ଦି କିଶୋର ଭୋଇ କହିଛନ୍ତି। ଏ ଦିଗରେ ଜିଲା ଶିକ୍ଷା ବିଭାଗ ଓ ଜିଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share