ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର ୧୪।୮(ବ୍ୟୁରୋ): ଗଞ୍ଜାମର ଏକ ତୃତୀୟାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭିଲାନ୍ସରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବାବେଳେ ସେଥିରୁ ଏହା ସ୍ପଷ୍ଟ ହୋଇଥିବା ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡା. ସଂଘମିତ୍ର୍ରା ପତି କହିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ସୂଚନା ଦେଇ ସଂଘମିତ୍ରା କହିଛନ୍ତି, ବ୍ରହ୍ମପୁରରେ ୫ଟି ଟିମ୍‌ ଦ୍ୱାରା ସେରୋ ସର୍ଭେ କରାଯାଇଥିଲା। ସମ୍ପ୍ରଦାୟ ତଥା ବିଭିନ୍ନ ଶ୍ରେଣୀର ଲୋକଙ୍କଠାରୁ ନମୁନା ସଂଗ୍ରହ ହୋଇଥିଲା। ୫ ବସ୍ତି ଓ ବହୁ ସମ୍ବେଦନଶୀଳ ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇ ୨୮୩୦ ଲୋକଙ୍କ ଆଣ୍ଟିବଡ଼ି ଟେଷ୍ଟ କରାଯାଇଥିଲା। ଏଥିମଧ୍ୟରୁ ୩୧% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଓ୍ବାର୍ଡ ସ୍ତରରେ ସଂଗୃହୀତ ନମୁନା ମଧ୍ୟରୁ କିଛି ୱାର୍ଡରେ ୭୦ ଓ ଆଉକିଛି ୱାର୍ଡରେ ୬୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଏହାଛଡ଼ା ୪ ୱାର୍ଡର ୫୦% ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ୍‌ କରିଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ସ୍ଥିତି ସୁଧୁରୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନମୁନା ସଂଗ୍ରହ ଆରମ୍ଭ ବେଳକୁ ଭଲ ଖବର ମିଳିବ। ଗଞ୍ଜାମରେ ପୁନର୍ବାର ନମୁନା ସଂଗ୍ରହ ସମ୍ପର୍କରେ ସେ କହିଛନ୍ତି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆର୍‌ଏମ୍‌ଆର୍‌ସି ଦ୍ୱାରା ବିଭିନ୍ନ ଜିଲାରେ ସେରୋ ସର୍ଭିଲାନ୍ସ ହୋଇଛି। ପ୍ରଥମେ ପୁରୀ, ପରେ ଭୁବନେଶ୍ୱର ଓ ନିକଟରେ ଗଞ୍ଜାମରେ ପ୍ରଥମ ପର୍ଯ୍ୟାୟ ସର୍ଭେ ସରିଛି। ବର୍ତ୍ତମାନ କଟକ ଜିଲାର ବଡ଼ମ୍ବା ଓ ନରସିଂହପୁରରେ ସର୍ଭେ ଜାରି ରହିଛି। ଆଗକୁ କଟକ ସହର, ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ ବୋଲି ସେ କହିଛନ୍ତି।

Share