ଖୁବଶୀଘ୍ର ରାଜ୍ୟରେ ସ୍ଥାପନ ହେବ ଏକହଜାର ଶୀତଳଭଣ୍ଡାର, ହିତାଧିକାରୀଙ୍କୁ ମିଳିବ ୭୦ପ୍ରତିଶତ ରିହାତି

ଭୁବନେଶ୍ୱର,୩୧।୧୨: ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଞ୍ଜୁର ହୋଇଥିବା ଏକହଜାରଟି ସୌରଚାଳିତ ଶୀତଳ ଗୃହ ସ୍ଥାପନ ଉପରେ କୃଷି ଓ କୃଷକ ସଶସ୍ତ୍ରକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗତକାଲି ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି, ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତି ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରିବ ।

ଏଥିସହିତ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନ୍‌ରୁ ଆରମ୍ଭ କରି ୩୦ ମେଟ୍ରିକ୍‌ ଟନ କ୍ଷମତା ବିଶିଷ୍ଟ ଶୀତଳ ଗୃହ ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଛନ୍ତି। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ା ସହାୟତାରେ ଏହି ଶୀତଳ ଗୃହ ସ୍ଥାପନ କରାଯିବ। ଶନିବାର ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି, ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରାଯାଇପାରିବ।

ଏହାଦ୍ୱାରା ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ। ଫଳ ଓ ପନିପରିବାର ଉପଯୁକ୍ତ ସଂରକ୍ଷଣ ଦ୍ୱାରା ବିକ୍ରିରୁ ଅଧିକ ଆୟ ମିଳିପାରିବ। ସେହିପରି ହିତାଧିକାରୀଙ୍କୁ ବିଦ୍ୟୁତ ଶୁଳ୍କରୁ ରକ୍ଷା ମିଳିବା ସହ ସୌରଚାଳିତ ବିଦ୍ୟୁତର ଅଧିକ ଉପଯୋଗ ହୋଇପାରିବ। ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଶୀତଳ ଗୃହ ସ୍ଥାପନ ପାଇଁ ଶତକଡ଼ା ୭୦ ପ୍ରତିଶତ ସରକାରୀ ରିହାତି ଯୋଗାଇ ଦିଆଯିବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଲେ, ଚାଷୀ ବିନା ବ୍ୟାଙ୍କ ଋଣ ସହାୟତାରେ ନିଜସ୍ବ ଖର୍ଚ୍ଚରେ ମଧ୍ୟ ଏହି ଶୀତଳ ଗୃହ ସ୍ଥାପନ କରିପାରିବେ ଓ ସରକାରୀ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ସମବାୟ ସମିତି ସମୂହର ନିବନ୍ଧକ, ଓରେଡ଼ା କର୍ତ୍ତୃପକ୍ଷ, ଓଡ଼ିଆ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌, କୃଷି ଇଞ୍ଜିନିୟର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Share