Categories: ଜାତୀୟ

ଗସ୍ତ ଏକ, ଲକ୍ଷ୍ୟ ଅନେକ…

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଏହା ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ। ମୋଦିଙ୍କର ଗସ୍ତ ଏକ ଥିଲେ ମଧ୍ୟ ଲକ୍ଷ୍ୟ ଅନେକ ରହିଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗସ୍ତକ୍ରମରେ ମୋଦି କ୍ୱାଡ ଗ୍ରୁପ୍‌ ବୈଠକ ଏବଂ ଜାତିସଂଘ ମହାସଭା (ୟୁଏନ୍‌ଜିଏ)ର ୭୬ତମ ଅଧିବେଶନରେ ଯୋଗ ଦେବେ। ଏହା ସହିତ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଭେଟିବାର ମଧ୍ୟ ସମ୍ଭାବନା ରହିଛି।

କ୍ୱାଡ ବୈଠକରେ ସାଧାରଣ ଲୋକଙ୍କୁ ହିତ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାାର ସମ୍ଭାବନା ରହିଛି। ଏହା ସହିତ କରୋନା ମହାମାରୀ, କରୋନା ଟିକା, ଯୋଗାଯୋଗ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ମାନବିକ ସହାୟତା, ବିପର୍ଯ୍ୟୟ ପ୍ରଶମନ, ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବ। ଏହା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିଷୟରେ ମଧ୍ୟ ଆଲୋଚନା ହେବାର ଆଶା ରହିଛି।

ଏସବୁ ବ୍ୟତୀତ ଆଫଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତି ଉପରେ ଏକ ସ୍ବତନ୍ତ୍ର ଆଲୋଚନା ମଧ୍ୟ ହେବାର ସମ୍ଭାବନା ଅଛି। ଏସମ୍ପର୍କରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବର୨୫ ରେ, ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାର ଅଧିବେଶନକୁ ସମ୍ବୋଧିତ କରିବେ। ଚଳିତ ବର୍ଷ ସାଧାରଣ ବିତର୍କର ବିଷୟବସ୍ତୁ ମଧ୍ୟରେ କରୋନା ଭାଇରସରୁ ପୁନରୁଦ୍ଧାର, ସ୍ଥାୟୀ ପୁନ ନିର୍ମାଣ, ଲୋକଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ମିଳିତ ଜାତିସଂଘକୁ ପୁନର୍ଜୀବିତ କରିବା ଆଶା ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।

ଏହା ସହିତ ମୋଦି ଆଫଗାନିସ୍ତାନ, ଆତଙ୍କବାଦ ଏବଂ ମିଳିତ ଜାତିସଂଘର କେତେକ ପରିବର୍ତ୍ତନ ଉପରେ ନିଜର ମତ ରଖିବାର ଆଶା ରହିଛି।

Share