୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ ସମସ୍ୟା ସମାଧାନ ହେଉ ନ ଥିବା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ କକଡ଼ାକାନାଡ଼ି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ୨୫ ପରିବାରକୁ ଗୋଟିଏ ମାତ୍ର ନଳକୂପ। ବର୍ଷା ଓ ଶୀତ ଦିନରେ ସାମାନ୍ୟ ସମସ୍ୟା ହେଉଥିବା ବେଳେ ଖରା ଦିନରେ ତାହା ବଢ଼ିଯାଉଛି। ପାଣି କମିଗଲେ ଗ୍ରାମବାସୀ ଗାଁଠାରୁ ୭ଶହ ମିଟର ଦୂରରେ ଥିବା ଅନ୍ୟ ଏକ ଗ୍ରାମର ନଳକୂପ ଉପରେ ଭରସା କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
କକଡ଼ାକୋନାଡ଼ି ଗ୍ରାମରେ ୨୫ ପରିବାର ବସବାସ କରନ୍ତି। ଗାଁରେ ପୂର୍ବରୁ ପାନୀୟ ଜଳ ସମସ୍ୟା ଥିବାରୁ ଗ୍ରାମବାସୀଙ୍କ ଦାବି ପରେ ୧୨ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଏକ ନୂତନ ନଳକୂପ ଖନନ କରାଯାଇଥିଲା। କିଛିବର୍ଷ ଠିକ୍‌ଠାକ୍‌ ପାଣି ବାହରିଥିବାବେଳେ ୪ବର୍ଷ ହେବ ଖରା ଦିନରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ଖରା ଦିନ ନଳକୂପରୁ ଯଥେଷ୍ଟ ପାଣି ବାହାରୁ ନାହିଁ। ଫଳରେ ପାନୀୟ ଜଳ ସମସ୍ୟା ହେଉଛି ବୋଲି ସେମାନେ କହିଛନ୍ତି। ସେହିପରି ସକାଳୁ ସକାଳୁ ଗ୍ରାମର ମହିଳାମାନେ ପାଣି ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ବେଳେବେଳେ ମହିଳା ମାନଙ୍କ ମଧ୍ୟରେ ପାଣି ଟୋପାଏ ପାଇଁ ଝଗଡା ମଧ୍ୟ ହେଉଛି। ସେହିପରି ଖରା ଦିନ କୌଣସି କାରଣ ଯୋଗୁଁ ନଳକୂପ ଖରାପ ହେଲେ ମରାମତି ହେବା ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ହେଉଛି। ବିଶେଷ କରି ନଳକୂପ ଅଚଳ ହେଲେ କିମ୍ବା ନଳକୂପରୁ ଯଥେଷ୍ଟ ପାଣି ନବାହାରିଲେ ଗ୍ରାମବାସୀ ୭ ଶହ ମିଟର ଦୂରରେ ଥିବା ପୋଳୁଗୁଡା ଗ୍ରାମରୁ ପାଣି ଆଣୁଥିବା କହିଛନ୍ତି।
ସହିପରି ଗ୍ରାମରେ ପୋଖରୀ ନ ଥିବା ବେଳେ ପୋଖରୀଟିଏ ଖୋଳିବାକୁ ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାଫଳରେ ସମ୍ପୂର୍ଣ ଗ୍ରାମବାସୀ ଗୋଟାଏ ନଳକୂପରୁ ପିଇବା ଓ ନିତ୍ୟକର୍ମ ପାଇଁ ପାଣି ନେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଗୋଟିଏ ନୂତନ ପୋଖରୀ ଓ ଆଉ ଗୋଟିଏ ନୂତନ ନଳକୂପ ଖନନ କରିବା ପାଇଁ ଗ୍ରାମର ସନାଏ ଭତରା, ସୁବାଏ ଭତରା, ବେଲମତି ଭତରା, ପଦ ଭତରା, ପୁନାଏ ଗୌଡ଼, ଅମ୍ବିକା ଗୌଡ଼, ବୁଧବାରୀ ଗୌଡ଼, ଗୋମତୀ ଗୌଡ଼, ଦଶରୀ ଗୌଡ଼, ମନକି ଗୌଡ଼,ସେବତୀ ଗୌଡ଼ ପ୍ରମୁଖ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ବିଡିଓ ପ୍ରୀତା କୁମାରଙ୍କ ସହ ଯୋଗାଯୋଗ କରିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।