୩୫୦ ଲୋକଙ୍କୁ ଗୋଟିଏ ନଳକୂପ

ଦଶମନ୍ତପୁର,୭।୧ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ପାଇକପୁକି ଗ୍ରାମର ହରିଜନ ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସାହିବାସିନ୍ଦା ଦୂଷିତ ପାଣି ପାନୀୟ ଜଳ ରୂପେ ବ୍ୟବହାର କରି ଚଳୁଛନ୍ତି। ୭୦ ଘର ବିଶିଷ୍ଟ ଏହି ସାହିରେ ଜନସଂଖ୍ୟା ରହିଛି ୩୫୦। ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି। ମାତ୍ର ଏତେ ଲୋକଙ୍କୁ ଗୋଟିଏ ନଳକୂପର ପାଣି ଯଥେଷ୍ଟ ହେଉନାହିଁ। ଅନେକ ସମୟରେ ପାଣି ନେବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରଅକାଶ ପାଉଛି ବୋଲି କହନ୍ତି ସାହିର କୁମାରୀ ଚେଟି, ବଜନ୍ତି କୁଳଦ୍ୱୀପ, ମନୋରମା ଖୋସଲା, ଲକ୍ଷ୍ମୀ ଚେଟି, କମଳା ଡଙ୍ଗ୍ରି। ନଳକୂପ ଜଳ ଯଥେଷ୍ଟ ହେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ ଗ୍ରାମ ନିକଟସ୍ଥ ମୁରାନ ନଦୀରେ ଚୁଆଁ ଖୋଳି ପାଣି ଆଣୁଛନ୍ତି। ଏହି ପାଣି ବ୍ୟବହାର କରି ସାହିବାସିନ୍ଦା ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଥିବା କହିଛନ୍ତି। ସାହିରେ ଆଉ ଗୋଟିଏ ନଳକୂପ ଖନନ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପିଇଓ ସୁଶାନ୍ତ ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ସାହିବାସିନ୍ଦାଙ୍କ ପାଇଁ ଖୁବ ଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ।

Share