ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍‌ରେ…

ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ଚାଲିଥିଲେ। ଏହାର ଦଣ୍ଡ ସ୍ବରୂପ ଦେଶର ଶୂନ କୋଭିଡ ନୀତି ଅନ୍ତର୍ଗତ ସୁରକ୍ଷା ପାଇଁ ତାଙ୍କ ଘର ନିକଟରେ ରହୁଥିବା ୫ ହଜାର ଲୋକଙ୍କୁ ପ୍ରଶାସନ କ୍ୱାରାଣ୍ଟାଇନ୍‌ କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ ୨୫୮ ପଡ଼ୋଶୀଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି। ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗର ଅଧିକାରୀଙ୍କ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।

ଦ ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ୨୩ ମେ’ରେ ଏହି ବ୍ୟକ୍ତି ଶପିଂ ମାର୍ଟରେ ପ୍ରବେଶ କରିଥିଲେ। ସେଠାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଥିଲା। ସତର୍କତା ଅବଲମ୍ବନ କରି ପ୍ରଶାସନ ତାଙ୍କୁ ଆଇସୋଲେଟ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ବ୍ୟକ୍ତି ଜଣଙ୍କ ବାହାରେ ବୁଲାବୁଲି କରୁଥିଲେ।

ପାଞ୍ଚ ଦିନ ପରେ ତାଙ୍କ ପତ୍ନୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହା ପରେ ଅଧିକାରୀମାନେ ସେହି ବ୍ୟକ୍ତିଙ୍କ ବିଲ୍ଡିଂରେ ରହୁଥିବା ୨୫୮ ଜଣଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବନ୍ଧକ ପରେ କଟକଣା କୋହଳ ହେଉଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକଳାପ ଉପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share