ରାଜନୈତିକ ହିଂସା: ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର, ୩ କୋର୍ଟଚାଲାଣ

ଗୋପାଳପୁର,୧୧ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଯୁବକଙ୍କୁ ବିପକ୍ଷ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡିଛି। ଆହତ ଯୁବକ ହେଲେ ଗୋଳନ୍ଥରା ଗଁାର ପ୍ରମୋଦ କୁମାର ରାଉଳ। ଏନେଇ ଗୁରୁବାର ସେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୪୭/୨୨ରେ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେହି ଗ୍ରାମର ଅନାମ ପ୍ରଧାନ, ପ୍ରଭାତ ଗୌଡ଼ ଏବଂ ଚିନ୍ମୟ ଗୁରୁ। ଏମାନଙ୍କ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମଧ୍ୟରାତ୍ରରେ ପ୍ରମୋଦ ବ୍ରହ୍ମପୁର ଯାଇ ଘରକୁ ଫେରୁଥିବା ସମୟରେ ତାଙ୍କ ଘର ସାମ୍ନାରେ ଏକ ରାଜନୈତିକ ଦଳର କେତେକ ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। କିଛି ସମୟ ପରେ ସମ୍ପୃକ୍ତ ଯୁବକମାନେ ଲୁହାରଡ଼ରେ ପ୍ରମୋଦଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଦୌଡ଼ି ନିଜ ଘରେ ପଶିଯାଇଥିଲେ। ଆକ୍ରମଣକାରୀମାନେ କବାଟ ଭାଙ୍ଗି ଘରେ ପଶି ପୁନର୍ବାର ଆକ୍ରମଣ କରିବା ସହ ଆସବାସପତ୍ର ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

Share