Categories: ଜାତୀୟ

ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…

ପାଟ୍‌ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି।

ପିଲାଟି ଅଗଣାରେ ଖେଳୁଥିବା ବେଳେ ଏକ ସାପ ତା’ ନିକଟକୁ ଆସିବାରୁ ସେ ଖେଳନା ଭାବି କାମୁଡ଼ି ଦେଇଥିଲା। ପରିବାର ଲୋକ ତା’ ନିକଟରେ ମୃତ ସାପକୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସାପ ମରି ଯାଇଥିବା ବେଳେ ପିଲାଟି ସୁସ୍ଥ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ସମୟର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖାଯାଇଛି ଯେ, ଜଣେ ଛୋଟ ପିଲାକୁ ତା’ର ମା ଧରି ଠିଆ ହୋଇଛନ୍ତି। ଆଉ ଜଣେ ବ୍ୟକ୍ତି ଫୋନ୍‌ରେ ସାପର ଫଟୋ ଉଠାଉଥିବା ବେଳେ ଏଥିରେ କାମୁଡ଼ା ଚିହ୍ନ ରହିଥିବା ଦେଖିବାକୁ ମିଳିଛି।

ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ପରିବାରକୁ କହିଛନ୍ତି, ଏହି ଘଟଣା ପରେ ବ୍ୟସ୍ତ ହେବାର ନାହିଁ। ପିଲାଟି ଶାରୀରିକ ଭାବେ ସୁସ୍ଥ ଅଛି। ସାପଟି ବିଷାକ୍ତ ନୁହେଁ। ମୌସୁମୀ ଋତୁରେ ସାଧାରଣତଃ ଏହି ସାପ ଦେଖିବାକୁ ମିଳିଥାଏ ବୋଲି ବୁଝାଇ କହିଛନ୍ତି।

Share