Categories: ଖେଳ

ଆଜିଠୁ ଦିନିକିଆ କ୍ରିକେଟ ବିଶ୍ୱକପ

ଅହମଦାବାଦ, ୫।୧୦: ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏହା ଗତ ସଂସ୍କରଣ ଫାଇନାଲର ରି ମ୍ୟାଚ ସଦୃଶ। ଗତଥର ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ଏଥର ଆରମ୍ଭରୁ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଏହାର ମଧୁର ପ୍ରତିଶୋଧ ନେବା ସୁଯୋଗ ଆସିଛି। ଇଂଲଣ୍ଡ କେବଳ ଦିନିକିଆରେ ନୁହେଁ ଟି୨୦ରେ ମଧ୍ୟ ବିଶ୍ୱ ଚାମ୍ପିୟନ।

ତେଣୁ ୪ ବର୍ଷ ମଧ୍ୟରେ ତୃତୀୟ ବିଶ୍ୱକପ ହାସଲ ଲକ୍ଷ୍ୟରେ ରହିଛି ଜୋଶ୍‌ ବଟଲରଙ୍କ ଦଳ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ କେବେହେଲେ ବିଶ୍ୱକପ ଜିତି ପାରିନାହିଁ। ଏଥର ମଧ୍ୟ ଦଳକୁ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଅସ୍ତ୍ରୋପଚାର ଜନିତ କାରଣ ଯୋଗୁ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଦ୍ରୁତ ବୋଲର ଟିମ୍‌ ସୌଦୀ ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ। ଅହମଦାବାଦ ପିଚ୍‌ ସାଧାରଣତଃ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ଼ ଥିବାରୁ ଆଗାମୀ ମ୍ୟାଚ ପାଇଁ ଫେଭରାଇଟ ରହିଛି। ବିଶେଷ କରି ବେନ୍‌ ଷ୍ଟୋକ୍ସ ଅବସରରୁ ଫେରିବା, ଲିଆମ ଲିଭିଂଷ୍ଟୋନ, ଜନି ବେୟାରଷ୍ଟୋ, ହାରି ବ୍ରୁକ୍ସଙ୍କ ପରି ବିସ୍ଫୋରକ ବ୍ୟାଟର ଓ ମୋଇନ ଅଲୀ ଓ କ୍ରିସ୍‌ ଓ୍ବକ୍ସଙ୍କ ପରି ଅଲ୍‌ରାଉଣ୍ଡରଙ୍କ ଉପସ୍ଥିତି ଦଳକୁ ମଜଭୁତ କରିଛି। ଆଇପିଏଲ୍‌ରେ ଖେଳିବା ଅଭିଜ୍ଞତା ମଧ୍ୟ ବେଶ୍‌ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଇସିସି ଟୁର୍ନାମେଣ୍ଟ ଗୁଡ଼ିକରେ ସବୁବେଳେ ନିଜର ଉପସ୍ଥିତି ଜାହିର କରିଛି। ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ ଏବଂ ୨୦୨୧ ଟି୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରି ଏହି ଦଳ ନିଜ ଦକ୍ଷତା ପ୍ରମାଣିତ କରିଛି।

Share