Categories: ବାଣିଜ୍ୟ

ଟମାଟୋ ପରେ ଏବେ ପିଆଜକୁ ନେଇ ଚିନ୍ତା: ଏକ ସପ୍ତାହରେ ଦ୍ୱିଗୁଣିତ ହେଲା ଦର, ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୩୦।୧୦: କିଛି ମାସ ଧରି ଟମାଟୋର ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ପିଆଜର ମୂଲ୍ୟ ମଧ୍ୟ ଚିନ୍ତା ବଢାଉଛି। ଗତ କିଛି ଦିନ ହେବ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ଏନସିଆରରେ ପିଆଜ ଦର ଦ୍ୱିଗୁଣିତ ହୋଇଛି। ଏହା ବ୍ୟତୀତ ବେଙ୍ଗାଲୁରୁ, ପଞ୍ଜାବ, ମୁମ୍ବାଇ ଏବଂ ଦେଶର ଅନ୍ୟାନ୍ୟ ସହରରେ ପିଆଜର ମୂଲ୍ୟ ୧୦୦ଟଙ୍କା ପାଖାପାଖି ପହଞ୍ଚିଛି।

ଖବର ଅନୁଯାୟୀ ପିଆଜର ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରବିବାର ବେଙ୍ଗାଲୁରୁରେ ପିଆଜର ହୋଲସେଲ ହାର କିଲୋଗ୍ରାମ ପିଛା ୭୦ ଟଙ୍କା ଥିଲା, ଯାହାକି ଏକ ସପ୍ତାହ ପୂର୍ବରୁ ୫୦ଟଙ୍କା ଥିଲା। ଏଥି ସହିତ ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୯ ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ପିଆଜ ମୂଲ୍ୟ ଆଉ କିଛି ଦିନ ଉଚ୍ଚ ସ୍ତରରେ ରହିବ ଏବଂ ଏହା ୧୦୦ ଟଙ୍କା ଅତିକ୍ରମ କରି କିଲୋଗ୍ରାମ ପିଛା ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ।

Share