ଆଳୁ ପରେ ପରେ ଗ୍ରାହକଙ୍କୁ ପିଆଜ ଚିନ୍ତା, ହୁ ହୁ ହୋଇ ବଢୁଛି ଦର

ଭୁବନେଶ୍ୱର, ୨୦।୮: ଆଳୁ ପରେ ପରେ ଗ୍ରାହକଙ୍କୁ ଏବେ ଆଉ ଏକ ଝଟକା। ଆଳୁ ଦର କମୁନଥିବା ବେଳେ ଏବେ ପିଆଜ ରେଟ ହୁ ହୁ ହୋଇ ବଢିବାରେ ଲାଗିଛି। ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡ଼ିଛି।

ଆଳୁ କିଲୋ ପିଛା ୪୦ ଟଙ୍କା ଥିବା ବେଳେ ତାହା ଦୀର୍ଘ ଦିନ ହେବ କମିବା ନାଁ ଧରୁନି। ମାତ୍ର ପିଆଜ କିଲୋ ପିଛା ପ୍ରାୟ ୩୫ ଟଙ୍କା ଥିବା ବେଳେ ଦିନେ ଦୁଇ ଦିନ ଭିତରେ କିଲୋ ପ୍ରତି ୧୦ରୁ ୧୫ ଟଙ୍କା ବଢିଗଲାଣି।

ଅନ୍ୟପଟେ ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖାଦେଇ ପାରେ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଫଳରେ ରାଜ୍ୟରେ ପୁଣି ଆଳୁର ଅଭାବ ଦେଖାଦେଇପାରେ।

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁ ନାହିଁ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସି ପାରୁ ନ ଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇପାରୁନି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ କିଛି ଆଳୁ ଗାଡ଼ି ଆସୁଛି। ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ।

Share