ବଢ଼ିଚାଲିଛି ପିଆଜ ଦର

ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଁଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ରାଜ୍ୟର ବିଭିନ୍ନ ଜିଲାରେ ପିଆଜ ଦର ଏହିପରି ଉଚ୍ଚା ରହିଛି। ଗତ ୧୫ ଦିନତଳେ ସ୍ବାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ ପିଆଜ କିଲୋପ୍ରତି ୮୦ ରୁ ୯୦ ଟଙ୍କାରେ ପହଁଚିଛି। ସେହିଭଳି ଗ୍ରାମାଞ୍ଚଳରେ ମଧ୍ୟ ପିଆଜ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ରହିଛି। ଦର ଖସାଇବାକୁ ରାଜ୍ୟ ସରକାର କେବେ ନେବେ ପଦକ୍ଷେପ ନେବେ ସେ ନେଇ ପ୍ରଶ୍ନ ସାଧାରଣ ଖାଉଟିଙ୍କ ମଧ୍ୟରେ ଉଙ୍କିମାରିଛି। ଅପରପକ୍ଷରେ ଗଜପତି ଜିଲାରେ କେତେକ କଳା ବ୍ୟବସାୟୀ ପିଆଜ ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ଆସୁଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି ଯେ, ଅଭିଯୋଗ ଆସିଛି ଏବଂ ସମସ୍ତ ହୋଲସେଲ ଗୋଦାମ ଗୁଡିକ ଉପରେ ଚଢ଼ାଉ କରାଯିବ।

Share