ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ କରୋନା ସଂକ୍ରମଣକୁ ଭୟ କରି ୧ ଲକ୍ଷରୁ ଅଧିକ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ଅବା ଏହାକୁ ଅନ୍‌ଲାଇନ୍‌ରେ କରାଇବା ଲାଗି ଏକ ଆବେଦନ ପତ୍ରରେ ହସ୍ତାକ୍ଷର କରିଛନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ପଦକ୍ଷେପ ପରେ ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାକେନ୍ଦ୍ରରେ କରୋନା ମାର୍ଗଦର୍ଶିକାକୁ ପାଳନ କରାଯିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯିବ। ଗତ ୨ ଦିନ ଧରି କ୍ୟାନସଲବୋର୍ଡଏକ୍ସାମ୍‌୨୦୨୧ ହାସ୍‌ଟ୍ୟାଗ୍‌ ଟୁଇଟରରେ ଟ୍ରେଣ୍ଡିଂରେ ରହିଛି। ଚେଞ୍ଜ ଡଟ୍‌ ଓଆରଜି ପକ୍ଷରୁ କରାଯାଇଥିବା ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତର ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଶିକ୍ଷାମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ବିଶେଷ ବିଚାର କରିବାର ଆବଶ୍ୟକତା ରହିଥିବା ଏଥିରେ ଦର୍ଶାଯାଇଛି।

Share