Categories: ଜାତୀୟ

ଅନ୍‌ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର

ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍‌ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ ଓ ପରେ ନିସର୍ଗ ବାତ୍ୟାରେ ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳରେ ରହୁଥିବା ପିଲାମାନେ ଗତ ଜୁନ୍‌ ମାସରୁ ଇଣ୍ଟରନେଟ୍‌ ଜନିତ ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି। ବିଶେଷ କରି ରତ୍ନଗିରି ଜିଲାର ଉପକୂଳରେ ରହୁଥିବା ପିଲାମାନେ ଇଣ୍ଟରନେଟ ସୁବିଧା ପାଉ ନ ଥିବାରୁ ପାଠ ପଢିବାକୁ ସେମାନେ ପ୍ରତିଦିନ ୫୦ କିଲୋମିଟର ଯାତ୍ରା କରୁଥିବା ପ୍ରକାଶ କରିଛନ୍ତି। ଏହି ସମସ୍ୟାକୁ ନେଇ ଜଣେ ଶିଶୁ ରାଷ୍ଟ୍ରୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗର ହସ୍ତକ୍ଷେପ ଲୋଡିଥିଲେ। ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୋଗୋ କହିଛନ୍ତି ପିଲାମାନଙ୍କୁ ଖୁବଶୀଘ୍ର ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦେଖି ପ୍ରାୟତଃ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଏବେ ପିଲାଙ୍କୁ ଅନ୍‌ଲାଇନରେ ଶିକ୍ଷା ଦିଆଯାଉଛି। କେବଳ ମହାରାଷ୍ଟ୍ର ନୁହେଁ ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share