୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ ବନ୍ଦ ଯୋଗୁ ପିଲାଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିଛି। ତେବେ ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପିରି ଚିଞ୍ଚ୍‌ଓ୍ବାର୍ଡ ଅଞ୍ଚଳରେ ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପାଇଁ ଘରୋଇ ସ୍କୁଲଗୁଡ଼ିକରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ଅଭିଭାବକମାନେ ସ୍କୁଲ ଫି ପୈଠ କରି ନ ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଥିବାରୁ ଅଭିଭାବକଭାବେ ଫି ଦେବାକୁ ସକ୍ଷମ ନୁହନ୍ତି ବୋଲି ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି। ଗତ ୯ ମାସ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ଏପରିସ୍ଥଳେ ବିନା ରିହାତିରେ ଅଭିଭାବକଙ୍କୁ ଫି ପୈଠ କରିବାକୁ ପଡୁଛି। ଅପରପକ୍ଷରେ ସ୍କୁଲ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିନା ଫିରେ ଅନ୍‌ଲାଇନ୍‌ କ୍ଲାସ୍‌ କରାଯିବା ସମ୍ଭବ ନୁହେଁ। ତେଣୁ ରାଜ୍ୟର ୧୪୦୦ ଘରୋଇ ସ୍କୁଲରେ ୩ ଦିନ ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସମ୍ପର୍କିତ ସୂଚନା ଅଭିଭାବକଙ୍କୁ ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

Share