ଅନ୍‌ଲାଇନ ପାଠ୍ୟକ୍ରମ ଜ୍ଞାନ, କୌଶଳ, ରୋଜଗାର ଦେବ: ଧର୍ମେନ୍ଦ୍ର

ଭୁବନେଶ୍ବର, ୭ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡିଓ କନ୍‌ଫରେନ୍ସରେ ଆଇଆଇଟି, ମାଡ୍ରାସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ବିଭାଗରେ ବିଏସ୍‌ସି ପାଇଁ ପ୍ରସ୍ତୁତ ଅନ୍‌ଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଭଳି ପଦକ୍ଷେପ ଯୁବଶକ୍ତିଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନ, କୌଶଳ ଏବଂ ରୋଜଗାର ସହ ସମନ୍ବୟ ରଖିବା ଲାଗି ବିରାଟ ବଡ଼ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଶିକ୍ଷାର ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ରୋଜଗାର ଏବଂ ମଲ୍‌ଟିପୁଲ୍‌ ଏଣ୍ଟ୍ରି-ମଲ୍‌ଟିପୁଲ୍‌ ଏକ୍‌ଜିଟ ପାଇଁ ପରାମର୍ଶ ଦିଆଯାଇଛି। ଏହି ଆଧାରରେ ଆଇଆଇଟି, ମାଡ୍ରାସ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ସ୍ବାଗତଯୋଗ୍ୟ। ଏହି ଉଦ୍ୟମ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନକୁ ବଢ଼ାଇବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଅଧିକରୁ ଅଧିକ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ଭାରତ କେବଳ ଟେକ୍ନୋଲୋଜିର ଉପଭୋକ୍ତା ହେବା ଉଚିତ ନୁହେଁ ବରଂ ନିଜର ମାନବଶକ୍ତି ମଧ୍ୟ ପ୍ରସ୍ତୁତ କରିବା ଦରକାର। ଆଇଆଇଟି, ମାଡ୍ରାସ ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମ ସମସ୍ତଙ୍କ ପାଖରେ ଥିବା କାର୍ଯ୍ୟାବଳୀର ଦକ୍ଷତା ସୁଧାର ଏବଂ ଭବିଷ୍ୟତ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବାର ଦୁଇଟି ଉଦ୍ଦେଶ୍ୟ ପୂରଣ କରିବ ବୋଲି ଧର୍ମେନ୍ଦ୍ର କହିବା ସହ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ପରିସଂସ୍ଥାନରେ ଏକ ମୌଳିକ ମଡ୍ୟୁଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

Share