ଅନ୍‌ଲାଇନ୍‌ ଠକେଇ: ରାଉରକେଲାରୁ ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ନବରଙ୍ଗପୁର,୧୯।୮(ସଦାଶିବ ପ୍ରହରାଜ): ଅନ୍‌ଲାଇଇନ୍‌ ଠକେଇ ମାମଲାରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ପୋଲିସ ରାଉରକେଲାରୁ ୪ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବିହାରର ଖଗାରିୟା ଜିଲାର ଗୁଲସନ କୁମାର, ସନୋଜ ପାସୱାନ, ଧୀରଜ କୁମାର ପାସଓ୍ବାନ ଏବଂ ମୋହନ କୁମାର ପାସଓ୍ବାନ।

ପୋଲିସ ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ଥାନା ଅଧୀନ ବୋରିଗୁଡା ଗ୍ରାମର ନିଜାମ ଖାଁଙ୍କ ମୋବାଇଲ ନମ୍ବରକୁ ଗତ ୨୮ ତାରିଖରେ ଜଣେ ଅଚିହ୍ନା ବ୍ୟକ୍ତି ଫୋନ କରି ୨,୮୦,୦୦୦ ଟଙ୍କା ପୁରସ୍କାର ଜିତିଥିବା କହିଥିଲେ। ଏଥିପାଇଁ ତାଙ୍କୁ ପ୍ରଥମେ ୩୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ନିଜାମ ସେହି ନମ୍ବରରେ ଥିବା ଗୁଗଲ ପେ’କୁ ୩୫୦୦ ଟଙ୍କା ପଠେଇଥିଲେ। ଏହାପରେ ସେ ପୁଣି ୯୮୦୦ ଟଙ୍କା ମାଗିଥିଲେ। ଏହିଭଳି ୭ ଥର କରି ନିଜାମ୍‌ ମୋଟ ୭୦,୩୦୦ ଟଙ୍କା ପଠାଇଥିଲେ। ପରେ ନିଜାମଙ୍କୁ କିଛି ପୁରସ୍କାର ମିଳି ନ ଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନମ୍ବରକୁ କଲ୍‌ କରିଥିଲେ ମଧ୍ୟ କେହି ଉଠାଇ ନ ଥିଲେ।

ଏ ନେଇ ନିଜାମ ଜୁଲାଇ ୨୯ ତାରିଖରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୧୨/୨୩) ରୁଜୁ କରିବା ସହ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋହ୍ଲାରସ ଏହାର ତଦନ୍ତ ଆରମ୍ଭ କରିଥିଲେ। କୌଣସି ସୂତ୍ରରୁ ଖବରପାଇ ଥାନା ଅଧିକାରୀ ଓ ଏକ ଟିମ୍‌ ରାଉରକେଲା ଯାଇ ବିହାର ଅଞ୍ଚଳର ୪ ଯୁବକଙ୍କୁ ଚନ୍ଦାହାଣ୍ଡି ଥାନାକୁ ଆଣି ପଚରାଉଚରା କରିଥିଲେ। ଏହି ସମୟରେ ସେମାନେ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଥିଲା । ଶନିବାର ୪ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share