Categories: ବାଣିଜ୍ୟ

ଆଜିଠୁୁ ଅନ୍‌ଲାଇନ ଗେମିଂ ମହଙ୍ଗା

ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍‌ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍‌ଲାଇନ ଗେମିଂ ପ୍ଲାଟ୍‌ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି ଟଙ୍କାର ରାଜସ୍ବ ସମ୍ପୃକ୍ତ ଅନ୍‌ଲାଇନ ଗେମିଂ କମ୍ପାନୀଗୁଡିକ ସଂଗ୍ରହ କରୁଛନ୍ତି। ଉପରୋକ୍ତ ବିଷୟରେ କେନ୍ଦ୍ର ସରକାର ବହୁ ବିଚାରବିମର୍ଶ ପରେ ଚଳିତ ବର୍ଷ ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮% ସେବା ଓ ସାମଗ୍ରୀ ଟିକସ (ଗୁଡ୍‌ସ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ) ବା ଜିଏସ୍‌ଟି ଲାଗୁ କରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ମଧ୍ୟ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମସ (ସିବିଆଇସି)ର ଚେୟାରମ୍ୟାନ ସଞ୍ଜୟ ଅଗ୍ରୱାଲ କହିଛନ୍ତି, ଭାରତରେ କାର୍ଯ୍ୟକ୍ଷମ ଗେମିଂ କମ୍ପାନୀଗୁଡ଼ିକୁ ସରକାରଙ୍କ ନିୟମାବଳୀ ଅନୁଯାୟୀ ଲିଗାଲ ନୋଟିସ ପଠାଇ ଦିଆଯାଇଛି। ସେହିଭଳି ଦେଶର ସମସ୍ତ ରାଜ୍ୟର ବିଧାନସଭାରେ ଜିଏସ୍‌ଟି ସଂଶୋଧନ ବିଧେୟକ-୨୦୨୩କୁ ସେପ୍ଟେମ୍ବର ୩୦ ସୁଦ୍ଧା ଗୃହୀତ କରିବା ଅଥବା ଅଧ୍ୟାଦେଶ ଜାରି କରି ୨୦୨୩ ଅକ୍ଟୋବର ୧ରୁ ଲାଗୁ କରିବା ଆବଶ୍ୟକ ରହିଛି ବୋଲି ସଞ୍ଜୟ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁଲାଇର ଜିଏସ୍‌ଟି କାଉନସିଲ ବୈଠକରେ ଅନ୍‌ଲାଇନ ଗେମିଂ, ହର୍ସ ରେସିଂ ଓ କ୍ୟାସିନୋ ଆଦି ଉପରେ ୨୮% ଜିଏସ୍‌ଟି ଲାଗୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ଏପରିକି ୨୦୨୩ ଅଗଷ୍ଟ ୨ ରେ ଏଥିପାଇଁ ଅନୁଷ୍ଠିତ ୫୧ତମ ଜିଏସ୍‌ଟି ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଅଗ୍ରୱାଲ କହିଛନ୍ତି, ଆମେ ସବୁ ରାଜ୍ୟର ସହମତିରେ ୨୦୨୩ ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରିବା ପାଇଁ ପ୍ରସ୍ତୁତ ହୋଇଛୁ।

Share