ଅନ୍‌ଲାଇନ ପାଗଳାମି

କୋଭିଡ୍‌ ୧୯ ଯୋଗୁ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିଲା। ସେତେବେଳେ ପିଲାମାନଙ୍କ ପାଠପଢ଼ା ପାଇଁ ବରଦାନ ସଦୃଶ ଉଭା ହୋଇଥିଲା ସ୍ମାର୍ଟଫୋନ୍‌। ଅନ୍‌ଲାଇନ ଶିକ୍ଷାର ଚାହିଦା ବଢ଼ିଥିଲା। କରୋନାର ପ୍ରଭାବ କମିବା ପରେ ମଧ୍ୟ ପିଲାଙ୍କ ପଢ଼ା ଏବେ ଅନେକ କ୍ଷେତ୍ରରେ ହାଇବ୍ରିଡ୍‌ ମୋଡ୍‌ରେ ହେଉଛି। ଅର୍ଥାତ୍‌ କ୍ଲାସ୍‌ରୁମ୍‌ ସହ ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ର ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ସ୍ମାର୍ଟଫୋନ୍‌ ପ୍ରତି ପିଲାଙ୍କ ଆସକ୍ତି ବଢ଼ିବା ଏବେ ବଡ଼ ସମସ୍ୟା ସୃଷ୍ଟି କଲାଣି। ଖେଳପଡ଼ିଆ ଓ ପାଠାଗାରଠାରୁ ପିଲାଙ୍କ ପାଇଁ ଫୋନ୍‌ର ଆକର୍ଷଣ ବଢ଼ିଯାଇଥିବାରୁ ମାତାପିତା ଓ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ପଢ଼ିବା ଭିତରେ ସ୍ମାର୍ଟଫୋନ୍‌ ସୀମିତ ନ ରହି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଆଗକୁ ଭୟଙ୍କର ବିପଦ ଆସୁଥିବା ଆଶଙ୍କା କରି ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ସୋସିଆଲ ମିଡିଆ ଦେଖିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ନିଷ୍ପତ୍ତି ନେଇଥିବା ସେଠାକାର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଅଣାଯିବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ବିତର୍କ ଆରମ୍ଭ ହୋଇଛି। ଭାରତରେ ମଧ୍ୟ କେତେକେ ଆଲବାନିଜ୍‌ଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହି ଏଠାରେ ଅନୁରୂପ କଠୋର ଆଇନ ଆସିବା ସପକ୍ଷରେ ମତ ରଖୁଛନ୍ତି। ପିଲାମାନେ ସୋସିଆଲ ମିଡିଆ ଓ ପ୍ରବଳ ଇଣ୍ଟରନେଟ୍‌ ବ୍ୟବହାର କରୁଥିବାରୁ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ଆଲୋଚନା ହେବା ସ୍ବାଗତଯୋଗ୍ୟ।
ଦେଖିବାକୁ ଗଲେ ସୋସିଆଲ ମିଡିଆ ସମୁଦ୍ର ଓ ଆକାଶ ପରି ବ୍ୟାପ୍ତ। ତାହାକୁ ନିୟନ୍ତ୍ରଣ କରିବା ଲାଗି କୁଳକିନାରା ଥିବା ଭଳି ମନେହେଉ ନାହିଁ। ଏହାର ସମସ୍ତ ବ୍ୟବହାରକାରୀ ସମାନ ଭାବେ ସଚେତନ ନ ଥିବାରୁ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଯାଉଛି। ଜାତି, ଧର୍ମ, ବର୍ଣ୍ଣଭିତ୍ତିକ ପକ୍ଷପାତଠାରୁ ଆରମ୍ଭ କରି ବିଭାଜନ ରାଜନୀତି, ଆତଙ୍କବାଦୀ କିମ୍ବା ଉଗ୍ରପନ୍ଥୀ ଚିନ୍ତାଧାରାକୁ ବିସ୍ତାର ଓ ଅଶ୍ଳୀଳ ବିଷୟବସ୍ତୁ ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଉଛି। ଏହାର ଉପଭୋକ୍ତା ବର୍ଗ ଭିନ୍ନ ଥିଲେ ମଧ୍ୟ ବିଶେଷକରି ଯୁବପିଢ଼ି ଏହା ଦ୍ୱାରା ଘୋର ପ୍ରଭାବିତ ହେଉଛନ୍ତି। ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ଅନେକ ସମୟରେ ସେମାନେ ଭୁଲ୍‌ ବାଟରେ ପଡ଼ି ଯାଉଛନ୍ତି। ଅନ୍‌ଲାଇନ୍‌ ଗେମ୍‌ରେ ମାତି ବହୁ ପିଲା ଆତ୍ମହତ୍ୟା କରିଦେଉଥିବାର ଖବର ବାରମ୍ବାର କିଛିବର୍ଷ ଧରି ପ୍ରକାଶ ପାଇଆସୁଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ସୋସିଆଲ ମିଡିଆର ପ୍ରବଳ ଆସକ୍ତି ଆରମ୍ଭ ହେବା ପୂର୍ବରୁ ‘ବ୍ଲୁ ହ୍ବେଲ’, ‘ପପ୍‌ଜି’ ଭଳି ଅନ୍‌ଲାଇନ ଖେଳ ଅନେକ ପିଲାଙ୍କ ଜୀବନ ନେଇଛି। ସେହିଭଳି ଅଶ୍ଳୀଳ ସାଇଟ୍‌ ଦେଖିବାରୁ ପିଲାଙ୍କୁ ସାଇବର ଠକମାନେ ଟ୍ରାପ୍‌ କରି ଫାଇଦା ନେଇଯାଉଛନ୍ତି। ଯିଏ ଥରେ ବି ସେଭଳି ସାଇଟ୍‌କୁ ବ୍ରାଉଜ୍‌ କରିଦେଇଥିବେ ଆଲ୍‌ଗୋରିଦିମ୍‌ ଏଭଳି ଅଛି ଯେ ତାଙ୍କ ପାଖକୁ ସମାନ ଧରଣର ବିଷୟବସ୍ତୁ ଆସିଯାଉଛି। କଅଁଳିଆ ବୟସର ହୋଇଥିବାରୁ ଅନେକେ ଭୁଲ କାର୍ଯ୍ୟ କରିବା ସ୍ବାଭାବିକ। କେବଳ ଅଳ୍ପ ବୟସ ବର୍ଗର ନୁହେଁ, ଏବେ ସବୁ ବୟସର ନାଗରିକଙ୍କୁ ଏହି ରୋଗ ବ୍ୟାପିଲାଣି। ଏପରିକି ଅନେକ ଅସତ୍ୟକୁ ବିଭିନ୍ନ ପ୍ରକାର ଭିଡିଓ ଓ ଲେଖା ମାଧ୍ୟମରେ ଚତୁର ଏଡିଟିଂ ଦ୍ୱାରା ବାସ୍ତବ ବୋଲି ସାଧାରଣରେ ବିଶ୍ୱାସ କରାଇ ଦିଆଯାଉଛି। ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଖବର ବିଷୟରେ ଅତ୍ୟନ୍ତ ସଚେତନ ଥିବା ବ୍ୟକ୍ତି ମଧ୍ୟ ବାଉଳା ହୋଇଯାଉଛନ୍ତି।
ଏଭଳି ପ୍ରଚ୍ଛଦପଟରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ସୋସିଆଲ ମିଡିଆ ଦେଖିବା ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ଖୁଣି ହେବ ନାହିଁ। ଅନ୍ୟପକ୍ଷରେ ଆଇନ ଯେ ସମସ୍ୟାର ସମାଧାନ ଆଣିବ ତାହା ହଲପ୍‌ ଦେଇ କହିହେବ ନାହିଁ। କାରଣ ଯେପର୍ଯ୍ୟନ୍ତ ସୋସିଆଲ ମିଡିଆକୁ ନିର୍ଦ୍ଦିଷ୍ଟ ବୟସବର୍ଗ ଭିତରେ ରଖିବାର ସ୍ମାର୍ଟଫୋନ୍‌ ବିକଶିତ ହୋଇ ନାହିଁ, ପିଲାମାନଙ୍କୁ ସେଥିରୁ ଦୂରେଇ ରଖିବା ବିଷୟ ଭାବିବା ନିରର୍ଥକ ବୋଲି କୁହାଯାଉଛି। ଯଦି କୌଣସି ଯନ୍ତ୍ର ଏଭଳି ଆସେ ଯେ, ତାହାକୁ ପିଲାମାନେ ଛୁଇଁଲା ମାତ୍ରେ ସୋସିଆଲ ମିଡିଆ କାର୍ଯ୍ୟକ୍ଷମ ହୋଇପାରନ୍ତା ନାହିଁ, ତାହା ହେଲେ ସୁଫଳ ମିଳିପାରନ୍ତା। ଅବଶ୍ୟ ଏଭଳି ଫିଚର ଆଗକୁ ଆସିପାରେ, ତାହାକୁ ଅସ୍ବୀକାର କରିହେବ ନାହିଁ। କିନ୍ତୁ ସେଭଳି ଯନ୍ତ୍ରପାତି ଏବେ ନାହିଁ। ଉଦାହରଣ ସ୍ବରୂପ, ନିକଟରେ ଇସ୍ରାଏଲ ଯେଉଁଭଳି ଭାବେ ହେଜ୍‌ବୋଲ୍ଲା ଉପରେ ପେଜର ଆକ୍ରମଣ କରିଥିଲା, ସେଥିରେ ଯନ୍ତ୍ରଟିକୁ ଧରିଥିବା ବ୍ୟକ୍ତିର ଆଇରିସ୍‌କୁ ପଢ଼ିବା ପରେ ବିସ୍ଫୋରଣ ଘଟାଯାଇପାରିଥିଲା।
ଏଠାରେ ମନେପଡ଼େ ଚାଇନା ୨୦୨୩ରେ ଏକ ନିୟମ କରିଥିଲା, ଯେଉଁଥିରେ ନାବାଳକମାନେ ସେମାନଙ୍କ ମୋବାଇଲରେ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ନାହିଁ। ଏଥିସହିତ ପିଲାମାନେ ଦିନକୁ ମାତ୍ର ୨ ଘଣ୍ଟା ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ ବୋଲି କୁହାଯାଇଥିଲା। ତାହାର କାର୍ଯ୍ୟକାରିତା କେତେ ଦୂର ସଫଳ ହୋଇଛି ସେ ନେଇ ବିଶେଷ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଚାଇନାର ଉଦ୍ୟମ ଦର୍ଶାଇଥିଲା ଯେ, ସେହି ଦେଶରେ ମଧ୍ୟ ଏହି ରୋଗର ଭୟାବହତା ବ୍ୟାପିଛି। ଭାରତ ଏ ଦିଗରେ ଖୁବ୍‌ଶୀଘ୍ର ଚିନ୍ତା କରିବାର ସମୟ ଆସିଲାଣି। ତେଣୁ ସରକାର ସୋସିଆଲ ମିଡିଆ କମ୍ପାନୀ, ମାତାପିତା ଓ ଅଭିଭାବକଙ୍କ ପରାମର୍ଶ ନେଇ ଏବେଠାରୁ କିଛି ବାଟ ବାହାର ନ କଲେ ଆଗାମୀ ଦିନରେ ସମାଜ ଗୋଟେ ବଡ଼ ବିପଦର ସମ୍ମୁଖୀନ ହୋଇପାରେ। ତେବେ ପିଲାଟିଏ କେଉଁଭଳି ପରିବେଶ ଦେଇ ବଢ଼ୁଛି, ତାହା ଗୁରୁତ୍ୱ ରଖୁଥିବାରୁ ମାତାପିତା ଓ ଅଭିଭାବକ ସବୁଠୁ ଅଧିକ ସତର୍କ ରହିବା ଦରକାର। ଏହା କହିଲା ବେଳକୁ ଆମେ ମନେରଖିଛୁ ଯେ ସ୍ମାର୍ଟଫୋନ୍‌ ଦେବାକୁ ମାତାପିତା ମନା କରିଦେବା ହେତୁ କେତେକ ପିଲା ଆତ୍ମହତ୍ୟା କରିଦେଇଛନ୍ତି। ଏଭଳି ମାନସିକତାକୁ କେଉଁଭଳି ସମ୍ଭାଳିବା ଦରକାର ସେ ସମ୍ପର୍କରେ କେବଳ ଆଇନ ନୁହେଁ, ଅନ୍ୟ କେଉଁ ପ୍ରକାର ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ, ତାହା ଚିନ୍ତା କରିବାର ସମୟ ଆସିଲାଣି।