ଆଜିଠୁ ଅନ୍‌ଲାଇନ ପେନ୍‌ସନ ଅଦାଲତ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍‌ସନ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଦାଲତ ଅନ୍‌ଲାଇନ ଜରିଆରେ କରାଯିବ। ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଛୋଟ କାରଣ ପାଇଁ ବିଭିନ୍ନ ସ୍ତରରେ ବହୁ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପେନ୍‌ସନ କାଗଜ ବିନା ମଞ୍ଜୁରୀରେ ପଡ଼ିରହିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏସବୁର ସମାଧାନ କରି ହିତାଧିକାରୀଙ୍କୁ ତୁରନ୍ତ ପେନ୍‌ସନ ମଞ୍ଜୁର କରିବା ନିମନ୍ତେ ଏହି ଅନ୍‌ଲାଇନ ପେନ୍‌ସନ ଅଦାଲତ ବ୍ୟବସ୍ଥା କରାଯାଇଛି ବୋଲି ଚୋପ୍ରା କହିଛନ୍ତି। ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଫୌଜଦାରି, ଭିଜିଲାନ୍ସ ବା ପେନାଲ୍ଟି ପ୍ରୋସିଡିଂ ନାହିଁ ସେମାନେ ଏହି ପେନ୍‌ସନ ଅଦାଲତର ସୁଯୋଗ ନେଇପାରିବେ। ଏଥିପାଇଁ ୮ ତାରିଖ (ଗୁରୁବାର)ଠାରୁ ଏପ୍ରିଲ ୩୦ ମଧ୍ୟରେ ଆବେଦନ କରାଯାଇପାରିବ। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ୍‌ (http://pension.hrmsodisha.gov.in) ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ସ୍ବୀକୃତିପତ୍ର ଅନ୍‌ଲାଇନ ଜରିଆରେ ଦରଖାସ୍ତକାରୀଙ୍କୁ ମିଳିବ। ସମ୍ପୃକ୍ତ ପେନ୍‌ସନ ମଞ୍ଜୁରକାରୀ କର୍ତ୍ତୃପକ୍ଷ ଚଳିତ ବର୍ଷ ଜୁନ୍‌ ୩୦ ମଧ୍ୟରେ ସମସ୍ତ ଦରଖାସ୍ତ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌ଏମ୍‌ଏସ୍‌ କିମ୍ବା ଅନ୍‌ଲାଇନ ପୋର୍ଟାଲ୍‌ ମାଧ୍ୟମରେ ଜଣାଇ ଦିଆଯିବ, ଯେଉଁ ଦରଖାସ୍ତଗୁଡ଼ିକର ସମାଧାନ ପେନ୍‌ସନ ମଞ୍ଜୁର କର୍ତ୍ତୃପକ୍ଷଙ୍କ ସ୍ତରରେ ହୋଇ ନ ପାରିବ ସେ ସେଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଇ ଦେବେ। ପରବର୍ତ୍ତୀ ସମୟରେ ଉକ୍ତ ଅସମାଧିତ ଦରଖାସ୍ତଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ବତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ। ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ। ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗ ନେଇ ନିଜ ନିଜ ପେନ୍‌ସନ ମଞ୍ଜୁରୀ କାର୍ଯ୍ୟ ଠିକ୍‌ ଭାବେ କରାଇନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୋପ୍ରା ଅନୁରୋଧ କରିଛନ୍ତି।

Share