Categories: ଖେଳ

ଆଜିଠୁ ଅନ୍‌ଲାଇନ୍‌ ଟିକେଟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ୬ଟି ମ୍ୟାଚ୍‌ ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଘରୋଇ ଭାରତ ସମେତ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ଅଂଶଗ୍ରହଣ କରିବେ। ପ୍ରତି ଦଳ ପରସ୍ପର ସହିତ ୨ଟି ଲେଖାଏ ମ୍ୟାଚ୍‌ ଖେଳିବେ। ଏଥିପାଇଁ ଅନ୍‌ଲାଇନରେ ଟିକେଟ ସୋମବାର ଅପରାହ୍ନ ୧୨ଟାରୁ ଉପଲବ୍ଧ ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ ରବିବାର ପ୍ରକାଶ କରାଯାଇଛି। ଭାରତ ଖେଳିବାକୁ ଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିବାବେଳେ ଇଷ୍ଟ ଷ୍ଟାଣ୍ଡ ୪୦୦ ଏବଂ ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଅଷ୍ଟ୍ରେଲିଆ ଓ ଜର୍ମାନୀ ମ୍ୟାଚ୍‌ ଲାଗି ଓ୍ବେଷ୍ଟ ଷ୍ଟାଣ୍ଡ ମୂଲ୍ୟ ୫୦୦ ଟଙ୍କା ଅପରିବର୍ତ୍ତିତ ରଖାଯାଇଥିବାବେଳେ ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଅନ୍‌ଲାଇନ୍‌ ଟିକେଟ www.ticketgenie.inରେ ଉପଲବ୍ଧ ହେବ।
ଲିଗ୍‌ ଫର୍ମାଟ୍‌ ଅନୁସାରେ ମାର୍ଚ୍ଚ ୧୦ ତାରିଖ ପ୍ରଥମ ମ୍ୟାଚ୍‌ରେ ଜର୍ମାନୀକୁ ଭାରତ ଭେଟିବ। ୧୧ରେ ଜର୍ମାନୀ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ୧୨ରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଭେଟିବାକୁ ଥିବାବେଳେ ୧୩ରେ ଭାରତ-ଜର୍ମାନୀ ଡବଲ ହେଡର ଅର୍ଥାତ୍‌ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଚରଣ ମ୍ୟାଚ୍‌ ହେବ। ୧୫ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ସହିତ ପ୍ରୋ-ଲିଗ୍‌ର ରାଉରକେଲା ପର୍ଯ୍ୟାୟ ଶେଷ ହେବ। ମ୍ୟାଚ୍‌ଗୁଡ଼ିକ ରାତି ୭ଟାରେ ଆରମ୍ଭ ହେବ। ”ଭୁବନେଶ୍ୱର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ସଫଳତାର ସହ ସମ୍ପନ୍ନ ହେବାପରେ ଓଡ଼ିଶାକୁ ପୁଣି ଅନ୍ତର୍ଜାତୀୟ ହକି ଫେରୁଛି। ଏହା ବହୁତ ବଡ଼ କଥା। ଗତ ବିଶ୍ୱକପ୍‌ ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ଏବଂ ରାଉରକେଲାରେ ଉପଲବ୍ଧ ସୁବିଧା ସୁଯୋଗରେ ସମସ୍ତ ଦଳ ଖୁସି ଜାହିର କରିଥିଲେ। ଏବେ ମୁଁ ପୁଣି ସମସ୍ତ ଅଂଶଗ୍ରହଣକାରୀ ଦଳକୁ ସ୍ବାଗତ କରୁଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।

Share