ରାଜ୍ୟରେ ବଞ୍ଚିଛନ୍ତି ମାତ୍ର ୨୮ ବାଘ, ନନ୍ଦନକାନନରେ ଜୀବଜନ୍ତୁ ମରିଗଲେଣି

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ହ୍ରାସକୁ ନେଇ କଂଗେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ସାର୍‌…ରାଜ୍ୟରେ ଆଉ ବାଘ ନାହାନ୍ତି। ନନ୍ଦନକାନନରେ ଜୀବଜନ୍ତୁ ସବୁ ମରି ଗଲେଣି। ୨୦୦୬ରେ ରାଜ୍ୟରେ ୧୧୧ ବାଘ ଥିଲେ ବୋଲି ଗଣନା କରାଯାଇଥିଲା। ୨୦୦୮ରେ ବାଘ୍ର ଗଣନା ଅନୁଯାୟୀ ରାଜ୍ୟରେ ମାତ୍ର ୨୮ଟି ବାଘ ଅଛନ୍ତି। ନନ୍ଦନକାନନରେ ଧଳା ଏବଂ କଳା ବାଘ ଥିଲେ। ଆଉ ଅନ୍ୟ କେଉଁଠି ଏଭଳି ବାଘ ଦେଖାଯାଆନ୍ତି ନାହିଁ। ନନ୍ଦନକାନନରେ ୩୫ଟି ବାଘରୁ ଏବେ ୭ଟି ଜୀବନମରଣ ସହ ସଂଘର୍ଷ କରୁଛନ୍ତି। କେବଳ ବାଘ ନୁହେଁ ଓଟ, ଜିରାଫ, ଶାଗୁଣା, ଚିଲ ଆଦି ପ୍ରାଣୀ ମରିଗଲେଣି। ଏଥିଲାଗି ଧ୍ୟାନ ଦିଆଯିବା ସହ ବାଘ ସଂଖ୍ୟା କିଭଳି ବୃଦ୍ଧି ପାଇବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share