ଶାସନ ହେଉଛି ଏକ ବ୍ୟବସ୍ଥା। ଏହା ଏକ ପ୍ରକାର ପ୍ରକ୍ରିୟା ଯେଉଁଥିରେ ଏହାର ଲୋକ ଉତ୍ତରଦାୟୀ ରହନ୍ତି। ଶାସନର ତତ୍ତ୍ୱ କହିଲେ ନୀତି, ଜଟିଳ ସ୍ଥିତିର ପରିଚାଳନା, ଅନୁପାଳନ ଏବଂ ପ୍ରଶାସନକୁ ବୁଝାଏ। ‘ଉତ୍ତମ ଶାସନ’ର ୮ଟି ବିଶେଷତା ହେଉଛି ଭାଗୀଦାରି, ସହମତି କୈନ୍ଦ୍ରିକ, ଉତ୍ତରଦାୟୀ, ସ୍ବଚ୍ଛତା, ଦାୟିତ୍ୱବୋଧ, ପ୍ରଭାବଶାଳୀ ଓ ଦକ୍ଷ, ସମନତା ଓ ସମାବେଶୀ ଏବଂ ଆଇନର ଶାସନ। ନୀତି ନିର୍ଦ୍ଧାରଣରେ ଦୁର୍ନୀତି ହ୍ରାସ କରିବା ଏବଂ ସଂଖ୍ୟାଲଘୁଙ୍କ ଦୃଷ୍ଟିକୋଣକୁ ବିଚାରକୁ ନେବା ଓ ସବୁଠୁ ବିପଜ୍ଜନକ ସ୍ଥିତିରେ ଥିବା ସମାଜର ସ୍ବର ଶୁଣିବା ପାଇଁ ଏହା ଭରସା ଦିଏ। ସରକାରଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଶାସନ।
ଶିକ୍ଷା ଉପରେ ୨୦୦୫ ପରଠାରୁ ଏଏସ୍ଇଆର୍ ସର୍ଭେ କରାଯାଉଛି। ଚଳିତ ବର୍ଷ ଏଏସ୍ଇଆର୍ ଦ୍ୱାରା କରାଯାଇଥିବା ସର୍ଭେରେ ୬୧୬ଟି ଜିଲା(ଦେଶର ମୋଟ ଜିଲାର ୮୫%) ର ୩ରୁ ୧୬ ବର୍ଷ ବୟସର ୬.୯ ଲକ୍ଷ ପିଲାଙ୍କୁ ସାମିଲ କରିଥିଲା। ଏଥିରେ ସ୍କୁଲରେ ନାମଲେଖା, ପଢ଼ା ଦକ୍ଷତା ଏବଂ ଗଣିତ ଜ୍ଞାନ ବିଷୟରେ ଅନୁଧ୍ୟାନ କରାଯାଇଛି। ପିଲାଙ୍କୁ ୪ଟି ସ୍ତରରେ ଅର୍ଥାତ୍ ପ୍ରଥମରେ ଅକ୍ଷର ଲେଖା, ଦ୍ୱିତୀୟରେ ସାଧାରଣ ଶବ୍ଦ ଲେଖିବା, ତୃତୀୟରେ ୪ଟି ସରଳ ବାକ୍ୟକୁ ନେଇ ଏକ ପାରା ଲିଖନ ଏବଂ ଚତୁର୍ଥରେ ସାମାନ୍ୟ ଜଟିଳ ଶବ୍ଦାବଳୀକୁ ନେଇ ଏକ ଦୀର୍ଘ ଲେଖା ପ୍ରସ୍ତୁତ କରିବାକୁ ନେଇ ପରୀକ୍ଷା କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ,ତୃତୀୟ ଶ୍ରେଣୀର ୨୦% ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଛନ୍ତି। ଏଥିରୁ ବୁଝାପଡ଼ୁଛି, ୫ ଜଣରୁ ୪ ଜଣ ପିଲା ବହି ପଢ଼ିପାରୁନାହାନ୍ତି। ୨୦୧୮ରେ ଏହା ୨୭% ଓ ୨୦୧୪ରେ ଥିଲା ୨୩%; ଅର୍ଥାତ୍ ଏକ ଦଶନ୍ଧି ପୂର୍ବ ତୁଳନାରେ ଏବେ ପିଲାଙ୍କ ପଢ଼ିବା ସ୍ତର ଖରାପ ଅଛି। ଏଭଳି ହ୍ରାସ ସବୁଆଡ଼େ ଘରୋଇ ଓ ସରକାରୀ ବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳିଛି। ୨୦୧୪ରେ ୪୮% ପଞ୍ଚମ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଥିଲେ। ୨୦୧୮ରେ ଏହା ଥିଲା ୫୦% ଏବଂ ଏବେ ଅଛି ୪୨%। ୨୦୧୪ରେ ୨୫% (୪ ଜଣରେ ୩ ଜଣ )ତୃତୀୟ ଶ୍ରେଣୀ ପିଲା ବିୟୋଗ କରିପାରୁଥିଲେ। ୨୦୧୮ରେ ଏହା ଥିଲା ୨୮% ଏବଂ ଏବେ ୨୫%କୁ ଖସିଛି। ସେହିପରି ୨୦୧୪ରେ ୫ମ ଶ୍ରେଣୀ ପିଲାଙ୍କ ମଧ୍ୟରୁ ୨୬% ସରଳ ଭାଗକ୍ରିୟା କରିପାରୁଥିଲେ, ୨୦୧୮ରେ ଏହା ଥିଲା ୨୮% ଏହା ପୁନର୍ବାର ତଳକୁ ଖସି ବର୍ତ୍ତମାନ ୨୫% ରେ ପହଞ୍ଚିଛି। ଯଦି ଆମ ପିଲା ପଢି ପାରିବେ ନାହିଁ କିମ୍ବା ସରଳ ଗଣିତ କରି ପାରିବେନି ସେମାନେ ବଡ଼ ହେଲେ କି ପ୍ରକାର କୌଶଳ ହାସଲ କରିବେ? ବେଙ୍ଗାଲୁରୁ ଇନ୍ଫୋଟେକ୍ କମ୍ପାନୀଗୁଡ଼ିକ ପ୍ରାୟ ୧୫ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ଚାକିରି ପାଇଁ ଆବେଦନ କରୁଥିବା ୧୦ ଜଣରେ ୯ ଜଣ ଇଞ୍ଜିନିୟରଙ୍କୁ ଅସ୍ବୀକାର କରାଯାଉଛି। ପଦବୀ ପୂରଣ ହୋଇଛି ବୋଲି ଏମିତି କରାଯାଇଛି ତାହା ନୁହେଁ, ବରଂ ସେମାନଙ୍କର ଦକ୍ଷତା ନ ଥିବା କାରଣରୁ ଏହା ହୋଇଛି। ଦେଶର ସ୍କୁଲ ପିଲା ପାଠରେ ପଛୁଆ ରହିବା ଏବଂ ଇଞ୍ଜିନିୟରମାନେ ନାମକୁ ମାତ୍ର ଶିକ୍ଷିତ ହେବାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। କାରଣ ଏହା ସେମାନଙ୍କର ଦୋଷ ନୁହେଁ।
ଏହି ସମସ୍ୟା ଖରାପ ଦେବାରେ ଲାଗିଛି ଓ ଆମେ ୧୦ ବର୍ଷ ପୂର୍ବାବସ୍ଥାକୁ ଚାଲିଯାଇଛୁ। ଅବଶ୍ୟ କୋଭିଡ୍ ସମସ୍ୟାକୁ ବଢ଼ାଇ ଦେଇଛି। କିଛି ମାସ ପୂର୍ବେ କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି , ମହାମାରୀ ସମୟରେ କେବଳ ୮% ଗ୍ରାମୀଣ ପିଲା ଅନ୍ଲାଇନ୍ରେ ପଢୁଥିଲେ। ଅଧିକାଂଶ ପିଲା ବେଳେବେଳେ ପଢୁଥିଲେ ଏବଂ ୩ ଜଣରେ ଜଣେ ଆଦୌ ପଢୁ ନ ଥିଲେ। ଏଏସ୍ଇଆର୍ ସର୍ଭେ ଆଉ ମଧ୍ୟ ଦର୍ଶାଇଛି ଯେ, ପ୍ରଥମ ଥର ପାଇଁ ଦେଶରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖା ସଂଖ୍ୟା ବୃଦ୍ଧି ପାଇଛି। ୨୦୦୬ରେ ଏହି ସଂଖ୍ୟା ୭୩%ରୁ ହ୍ରାସ ପାଇ ୨୦୧୮ସୁଦ୍ଧା ଥିଲା ୬୫% ଏବଂ ଏବେ ତାହା ପୁନର୍ବାର ବୃଦ୍ଧି ପାଇ ୭୨% ପହଞ୍ଚିଛି। ତେବେ ସରକାରୀ ସ୍କୁଲଗୁଡ଼ିକ ହଠାତ୍ ଘରୋଇ ସ୍କୁଲଗୁଡ଼ିକଠାରୁ ଅଧିକ ଆକର୍ଷଣୀୟ ହୋଇଯାଇଛି କି? ନା, ଅନେକ କୋଟି ଭାରତୀୟ ପରିବାର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବାରୁ ସେମାନେ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରେ ପଢ଼ାଇବାକୁ ସକ୍ଷମ ହୋଇପାରି ନାହାନ୍ତି। ତେବେ ଆମର ସମସ୍ୟାକୁ ସ୍ବୀକାର କେଲେ ହିଁ ଆମେ ତାହାକୁ ସମାଧାନ କରିପାରିବା। ଗଙ୍ଗାର କ୍ରୁସି(ଜାହାଜ) ଏବଂ ଚିତାବାଘ ବ୍ୟତୀତ ଆମ ପ୍ରାଥମିକ ଶିକ୍ଷାର ବିପର୍ଯ୍ୟୟ ବିଷୟରେ ସରକାର କେବେ କହିଥିବାର କେହି ଶୁଣିଛନ୍ତି କି? କେନ୍ଦ୍ର ସରକାର ଗତ ବଜେଟରେ ୮୮,୦୦୦ କୋଟି ଟଙ୍କା ଶିକ୍ଷା ଉପରେ ଖର୍ଚ୍ଚ କରିଥିଲେ। ଏହା ବୁଲେଟ୍ ଟ୍ରେନ୍ ପାଇଁ ବରାଦ ଅର୍ଥଠାରୁ କମ୍। ଆମ ଶାସନରେ ଏମିତିକା ଘଟଣା ଅନ୍ୟ କ୍ଷେତ୍ରରେ ବି ଘଟୁଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୩ରେ ସ୍ବାସ୍ଥ୍ୟ ଉପରେ ଭାରତର ବ୍ୟୟ ଜିଡିପିର ୩.୭% ଥିବାବେଳେ ଏବେ ତାହା ୩%ରେ ରହିଛି।
ବିଶ୍ୱରେ ଅନ୍ୟ ଦେଶଗୁଡ଼ିକ ସମସ୍ୟାକୁ ସ୍ବୀକାର କରିବା ପରେ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରୁଛନ୍ତି। କିନ୍ତୁ ଏଠାରେ ସରକାର ସମସ୍ୟାକୁ ଅସ୍ବୀକାର କରୁଛନ୍ତି। ସରକାର ଜାଣନ୍ତି କିମ୍ବା ଭଲ ଭାବେ ଅବଗତ ଯେ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିପାରିବେ ନାହିଁ ଏବଂ କିପରି ସମାଧାନ କରାଯିବ ସେ ସମ୍ପର୍କରେ ତାଙ୍କର କୌଣସି ଧାରଣା ବି ନାହିଁ। ସମସ୍ୟା ସମାଧାନ କରିବା ଲାଗି ଦୃଢ ଶାସନ ଦରକାର। କେବଳ ଉଦ୍ଘାଟନ, ଫ୍ୟାନ୍ସି ଡ୍ରେସ୍ ଏବଂ ଭାଷଣରେ ସବୁ ସମସ୍ୟା ସମାଧାନ ହେବ ନାହିଁ। ଡିସେମ୍ବରରେ ସହରୀ ବେରାଜଗାର ୧୦% ଥିଲା। କିଛି ବର୍ଷ ତଳେ ଯାହା ଥିଲା ତା’ଠାରୁ ଏହା ପ୍ରାୟ ୩ଗୁଣ ଅଧିକ। ବିଗତ ଦଶନ୍ଧିଗୁଡ଼ିକରେ କୃଷିଭିତ୍ତିକ ନିଯୁକ୍ତି ବି ହ୍ରାସ ପାଇଆସିଛି। ଏହା ହିଁ ଆମ ବାସ୍ତବତା ଓ ସରକାରୀ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଅନ୍ୟ ଏକ ବିଷୟ ହେଉଛି, ସରକାର ତାଙ୍କ କାମ ପାଇଁ ଉତ୍ତରଦାୟୀ ହେଉନାହାନ୍ତି। ଏକ ପୂର୍ଣ୍ଣାଙ୍ଗ ଜୀବନ ଜିଇବା ଏବଂ ବିଶ୍ୱରେ ଅନ୍ୟ ପିଲାମାନଙ୍କ ସହ ପ୍ରତିଯୋଗିତା କଲା ଭଳି ଆମ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ହେଉଛି ଉତ୍ତମ ଶାସନ। ଏହା ବାଦ୍ ଆଉ ଯାହା କରାଯାଉଛି ତାହା ସବୁ ଖାଲି ଡ୍ରାମା।