୩୧ ଯାଏ କେବଳ ଜରୁରୀ ମାମଲାର ଶୁଣାଣି

କଟକ ଅଫିସ,୪ା୭: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଜାରି କରିଛନ୍ତି। ଏହା ଜୁଲାଇ ୩୧ ପର୍ଯ୍ୟନ୍ତ ରହିବା ସହ ଏହି ସମୟରେ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେ ପର୍ଯ୍ୟନ୍ତ କେବଳ ଜରୁରୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ହାଇକୋର୍ଟର ଫୁଲ୍‌କୋର୍ଟରେ ଏନେଇ ନିଷ୍ପତ୍ତି ନିଆଯାଇଛି। କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ ଭର୍ଚୁଆଲ୍‌ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ସମୟରେ କେବଳ ଜରୁରୀ ମାମଲାର ହିଁ ଶୁଣାଣି କରାଯିବ। ନିମ୍ନକୋର୍ଟଗୁଡ଼ିକ ପାଇଁ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ ହେବ। ଯଦି କୌଣସି ଜିଲାରେ କରୋନା ସଂକ୍ରମଣ କମ୍‌ ରହିଛି କିମ୍ବା ସ୍ଥିତି ସ୍ବାଭାବିକ ରହିଛି, ସେହି ଜିଲାରେ ଦେୱାନୀ ଓ ଫୌଜଦାରି ମାମଲାର ମଧ୍ୟ ଶୁଣାଣି ହୋଇପାରିବ। ଯେଉଁ ମାମଲାରେ ବିଚାରାଧୀନ କଏଦୀମାନେ ବନ୍ଦୀ ରହିଛନ୍ତି, ସେହି ମାମଲା କିମ୍ବା ପୁରୁଣା ମାମଲାର ଶୁଣାଣିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଉଭୟ ପକ୍ଷର ଓକିଲ ସମ୍ମତି ଦେବା ଆବଶ୍ୟକ। ଜିଲାପାଳ କିମ୍ବା କ୍ଷମତାସମ୍ପନ୍ନ ଅଧିକାରୀ କୌଣସି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କିମ୍ବା ଶଟ୍‌ଡାଉନ୍‌ ଘୋଷଣା କଲେ, ଜିଲା ଜଜ୍‌ମାନେ ନିଜ ଅଧୀନସ୍ଥ କୋର୍ଟଗୁଡ଼ିକୁ ବନ୍ଦ ରଖିବା ନିଷ୍ପତ୍ତି ନେଇପାରିବେ। ହାଇକୋର୍ଟ ଏନେଇ ଜିଲା ଜଜ୍‌ମାନଙ୍କୁ କ୍ଷମତା ଦେଇଛନ୍ତି। ଯେଉଁ ଜିଲାରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି କିମ୍ବା ଭବିଷ୍ୟତରେ କରାଯିବ, ସେହି ଜିଲାରେ ଶନିବାର ଓ ରବିବାର ସମସ୍ତ କୋର୍ଟ ବନ୍ଦ ରହିବ। ହାଇକୋର୍ଟ ମଧ୍ୟ ଜୁଲାଇର ସମସ୍ତ ଶନିବାର ବନ୍ଦ ରଖାଯିବ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

Share