‘ମହାଦ୍ରୁମରୁ କେବଳ ପତ୍ର ଝଡ଼ିଛି’

ଖଇରା, ୪ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରାଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଧାକାନ୍ତ ପାତ୍ର ଓ ଗଡପୋଖରୀ ପଞ୍ଚାୟତର ଭାଜପା ନେତା ରଞ୍ଜନ ଦଳେଇ କିଛି ଦିନର ନୀରବତା ପରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡା ଗଡପୋଖରୀ ପଞ୍ଚାୟତରେ ନବନିର୍ବାଚିତ ୱାର୍ଡସଭ୍ୟା ଗାୟତ୍ରୀ ପାତ୍ର, ସଭ୍ୟ ଜୟନ୍ତ ସେଠୀ, ମହେଶ୍ୱର ପାତ୍ର, ଟୁନା ସାହୁ, ପୂର୍ବତନ କଂଗ୍ରେସ ସଭାପତି ଗଣନାଥ ସିଂ, ସାରୁଗାଁ ପଞ୍ଚାୟତରୁ ହେମନ୍ତ ଲେଙ୍କା ପ୍ରମୁଖ ବିଜେଡିର ଉତ୍ତରୀୟ ପିନ୍ଧିବା ସଦସ୍ୟ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବିରୋଧୀଙ୍କୁ ଭାଷଣ ଆଳରେ ଶାଣିତ ପ୍ରହାର କରିଛନ୍ତି।
ସିମୁଳିଆ ନିର୍ବାଚନମଣ୍ଡଳୀରେ ନାଗରିକମାନେ ୧୫ବର୍ଷ ଧରି ଶାନ୍ତି ପ୍ରଗତି ଭିତରେ ଜୀବନ ବିତାଉଥିଲେ। ହେଲେ ଏବେ କିଛି ବାହ୍ୟଶକ୍ତି ଗାଁ ଗାଁରେ ପଶି ଅଶାନ୍ତି ସୃଷ୍ଟି କରୁଛନ୍ତି। କିଛି ପଦବୀ ହାତରୁ ଚାଲିଯିବାକୁ ଇଙ୍ଗିତ କରି ସିମୁଳିଆରେ ବିଜେଡି ଏବେ ମହାଦ୍ରୁମ। ହୁଏତ କିଛି ପତ୍ର ଝଡିଛି। ଅନ୍ୟ ନିର୍ବାଚନମଣ୍ଡଳୀରେ ଭୋଟ ହାର୍‌ ଦେଖିଲେ ବିଜେଡି ଏଠାରେ ଯଥେଷ୍ଟ ଅଧିକ ଭୋଟ ପାଇଛି। ଏହି ମିଶ୍ରଣ ଆଗାମୀ ଦିନରେ ବିଜେଡିର ବିଜୟକୁ ଅଧିକ ସହଜ କରିବ ବୋଲି ପ୍ରକାଶ କରିଥିଲେ। ରାଧାକାନ୍ତ ପାତ୍ର ତାଙ୍କ ବକ୍ତବ୍ୟରେ କିଛି କୁଚକ୍ରୀଙ୍କ ପାଇଁ ବର୍ତ୍ତମାନ ମନ୍ତ୍ରୀଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିଲା। ଏବେଠାରୁ ଦଳ ଅଧିକ ସଙ୍ଗଠିତ ହେବ ବୋଲି କହିଥିଲେ। ଅନ୍ୟତମ ଯୁବନେତା ରଞ୍ଜନ ଦଳେଇ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି। ଆଗାମୀ ନିର୍ବାଚନରେ ଭାଜପା ଗଡପୋଖରୀ ପଞ୍ଚାୟତରେ ଅସ୍ଥିତ୍ୱ ହରାଇବ ବୋଲି କହିଥିଲେ। ଉକ୍ତ ସଭାରେ ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ଜିଲା ପରିଷଦ ସଭ୍ୟ ମାନସ ଦାଶ, ସଭ୍ୟା ରଶ୍ମିତା ମହାପାତ୍ର ଓ ସୁଷମା ମହାପାତ୍ର ,ଏମ୍‌ପି ପ୍ରତିନିଧି ଜୟନ୍ତ କୁମାର ରାଉତ ଓ ବିଧାୟକ ପ୍ରତିନିଧି କରୁଣାକର ଜେନା ପ୍ରମୁଖ ଯୋଗ ଦେଇଥିଲେ।