ମୁମ୍ବାଇ, ୧୭।୯: ମହାରାଷ୍ଟ୍ର ପୋଲିସରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୧ଟି ରାଜ୍ୟର ମୋଟ୍ କେସ୍ଠାରୁ ବଳି ଯାଇଛି। ମହାରାଷ୍ଟ୍ରରେ ଯେତିକି ସଂଖ୍ୟକ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ଏହି ସଂଖ୍ୟା ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରା ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କଠାରୁ ଅଧିକ ବୋଲି ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ଆଉ ୩୬୪ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୨୦,୩୬୭ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୮ ଜଣ ମୃତ୍ୟୁବରଣ କରିସାରିଥିବାବେଳେ ୧୬,୩୬୩ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏବେ ମଧ୍ୟ ୩,୭୯୬ ପୋଲିସ କର୍ମଚାରୀ ଚିକିତ୍ସାଧୀନ ରହିଛନ୍ତି।