Categories: ଜାତୀୟ

‘କେବଳ ମୋଦିଙ୍କ ମିଛ କାରଖାନା ରହିବ’

କୋଲକାତା,୨୪ା୩: କେନ୍ଦ୍ର ସରକାର ସରକାରୀ ସଂସ୍ଥାଗୁଡ଼ିକୁ ବିକି ଦେଉଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିଛ କାରଖାନା’ ରହିବ ବୋଲି ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ପୁରୁଲିଆ ଜିଲାର ପାରା, କାଶୀପୁର ଓ ରଘୁନାଥପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାଜପା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କ’ଣ ସବୁ କରିବ ସେନେଇ ବିଜ୍ଞାପନରେ ବଡ଼ ବଡ଼ ଦାବି କରୁଛି। କିନ୍ତୁ ଏହି ଦଳ ପୂର୍ବରୁ ଆସାମ ଓ ତ୍ରିପୁରା ବିଧାନସଭା ନିର୍ବାଚନ ବେଳେ ଏହାର ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରିଯାଇଛି। ଉତ୍ତର-ପୂର୍ବର ଏହି ଦୁଇ ରାଜ୍ୟରେ ଭାଜପା ସରକାର ହଜାର ହଜାର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଛଡ଼ାଇନେଇଛନ୍ତି। କେନ୍ଦ୍ର ସରକାର ଜାତୀୟକରଣ ହୋଇଥିବା ସମସ୍ତ ଟେଲିକମ୍‌ ସଂସ୍ଥା ଓ ବ୍ୟାଙ୍କକୁ ବିକ୍ରି କରିବା ପାଇଁ ଯୋଜନା ଚଳାଇଛନ୍ତି। ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ, ଅନ୍ୟ ସରକାରୀ କମ୍ପାନୀ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ସଂସ୍ଥାକୁ ମଧ୍ୟ ବିକିବା ପାଇଁ ଯୋଜନା କରୁଛନ୍ତି। ଫଳରେ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି।

Share