Categories: ଜାତୀୟ

ଭାଜପାର ୧୯୫ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି କେବଳ ଜଣେ ମୁସଲମାନ ନେତା, ଜାଣନ୍ତୁ ଅବଦୁଲ୍‌ ସଲାମ କିଏ?

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଉକ୍ତ ତାଲିକାରେ ଭାଜପା କେବଳ ଜଣେ ମୁସଲମାନଙ୍କୁ ଟିକେଟ ଦେଇଛି। ସେ ହେଲେ ଅବଦୁଲ ସଲାମ। କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅବଦୁଲ କେରଳର ମାଲାପୁରମରୁ ନିର୍ବାଚନ ଲଢ଼ିବେ।

ଅବଦୁଲ ସଲାମ କିଏ?
ଅବଦୁଲ ସଲାମ କେରଳର ତିରୁର ବାସିନ୍ଦା। ସେ ୨୦୧୯ ରେ ଭାଜପାରେ ଯୋଗ ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ସେ ୧୩୫ ନେମୋମ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅବଦୁଲ ସଲାମ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ କାଲିକଟ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ଅବଦୁଲ ୨୦୧୮ ପର୍ଯ୍ୟନ୍ତ ଅଧ୍ୟୟନ କାର୍ଯ୍ୟ ସହିତ ଜଡିତ ରହିଲେ। ସେ ୧୫୩ ରିସର୍ଚ୍ଚ ପେପର୍‌ ଲେଖିଛନ୍ତି, ଯାହା ପ୍ରକାଶିତ ହୋଇଛି। ଏହା ବ୍ୟତୀତ ସେ ୧୫ ଟି ସମୀକ୍ଷା ପ୍ରବନ୍ଧ ଏବଂ ୧୩ ପୁସ୍ତକ ଲେଖିଛନ୍ତି। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ପଞ୍ଜିକୃତ ହୋଇନାହିଁ। ତାଙ୍କର ଘୋଷିତ ମୋଟ ସମ୍ପତ୍ତି ହେଉଛି ୬.୪୭ କୋଟି ଟଙ୍କା। ଗତ କିଛିଦିନ ଧରି ଅବଦୁଲ ସଲାମଙ୍କୁ ଭାଜପା ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିଲା, ଶେଷରେ ତାହା ନିଶ୍ଚିତ ହୋଇଛି। ଅବଦୁଲ ଜଣେ ଧର୍ମନିରପେକ୍ଷ ଚେହେରା ହୋଇଥିବାରୁ ଭାଜପା କେରଳରେ ଏହି ସଂଖ୍ୟାଲଘୁ ପ୍ରାର୍ଥୀଙ୍କ ଉପରେ ବିଶ୍ୱାସ ଦେଖାଇଛି।

କହିରଖୁଛୁ, ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଭାଜପା ୧୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୪୭ ଜଣ ଯୁବ ନେତା ଅଛନ୍ତି, ଯେଉଁମାନଙ୍କ ବୟସ ୫୦ ବର୍ଷରୁ କମ। ଏହା ବ୍ୟତୀତ ସେମାନଙ୍କ ମଧ୍ୟରେ ୨୮ ଜଣ ମହିଳା,୨୭ ଅନୁସୂଚିତ ଜାତି(ଏସ୍‌ସି) ପ୍ରାର୍ଥୀ, ୧୭ ଏସ୍‌ଟି ଏବଂ ୫୭ ଜଣ ପ୍ରାର୍ଥୀ ଅନ୍ୟ ପଛୁଆ ଶ୍ରେଣୀ ଅର୍ଥାତ ଓବିସି ବର୍ଗର ଅଟନ୍ତି ।

Share