Categories: ଜାତୀୟ

ପାରିବାରିକ ସମ୍ପତ୍ତି ଭାଗବଣ୍ଟାରେ ଏବେ ମାତ୍ର ୫ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି…

ଲକ୍ଷ୍ନୌ, ୧୫।୬ : ପରିବାର ସଦସ୍ୟଙ୍କ ମଧ୍ୟରେ ଅସ୍ଥାବର ସମ୍ପତ୍ତି ବଣ୍ଟନ ବର୍ତ୍ତମାନ ସହଜ ହେବ। ଏଥିପାଇଁ ଦାନ ସୂତ୍ର କାରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି। ସମ୍ପତ୍ତି ଯେତେ ମୂଲ୍ୟବାନ ହୋଇପାରେ ନା କାହିଁକି, ପାରିବାରିକ ଭାଗବଣ୍ଟା ଉପରେ କେବଳ ପାଞ୍ଚ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି ସ୍ଥିର କରାଯାଇଛି। ଏହା ସହିତ ପ୍ରୋସେସିଂ ଫି ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଫଳରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାରେ ମାତ୍ର ୬ ହଜାର ଟଙ୍କା ଖର୍ଚ୍ଚ ହେବ।

ଷ୍ଟାମ୍ପ ଏବଂ ପଞ୍ଜିକରଣ ମନ୍ତ୍ରୀ ରବିନ୍ଦ୍ର ଜୈସୱାଲ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପ୍ରକ୍ରିୟାକୁ ସରଳ ଏବଂ ନିର୍ବିବାଦ କରିବା ପାଇଁ ଏହି ପ୍ରସ୍ତାବକୁ କ୍ୟାବିନେଟରେ ଅଣାଯାଇଛି। ଷ୍ଟାମ୍ପ ଡ୍ୟୁଟି ଅଧିକ ଯୋଗୁ ଲୋକେ ବାଧ୍ୟ ହୋଇ ସମ୍ପତ୍ତିର ମାଲିକ ପରିବାର ସଦସ୍ୟଙ୍କ ନାମରେ ଏକ ଇଚ୍ଛାପତ୍ର ଲେଖୁଥିଲେ। ପରବର୍ତ୍ତୀ ସମୟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଅଧିକାଂଶ ଇଚ୍ଛାପତ୍ର ମାମଲା ବିବାଦୀୟ ହେଉଥିଲା। ମାତ୍ର ମନ୍ତ୍ରୀଙ୍କ କହିବାନୁସାରେ, ବର୍ତ୍ତମାନ ଏଭଳି ମାମଲା ହ୍ରାସ ପାଇବ। ଏହା ସହିତ ରାଜସ୍ବରେ ବୃଦ୍ଧି ଘଟିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସହରର ସର୍କଲ ହାରର ୫ ପ୍ରତିଶତ ପଷ୍ଟାମ୍ପ ଡ୍ୟୁଟି, ସମ୍ପତ୍ତି ସ୍ଥାନାନ୍ତର ଉପରେ ୨ ପ୍ରତିଶତ ବିକାଶ ଶୁଳ୍କ ଏବଂ ୧ ପ୍ରତିଶତ ପଞ୍ଜିକରଣ ଶୁଳ୍କ ଆଦାୟ କରାଯାଉଥିଲା। ମହିଳାମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତି ସ୍ଥାନାନ୍ତର ଉପରେ ଏକ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଉଥିଲା। ଗ୍ରାମାଞ୍ଚଳରେ ଏହି ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତ ଥିବାବେଳେ ବିକାଶ ଡ୍ୟୁଟି ଆଦାୟ କରାଯାଉ ନଥିଲା।

ଏହା ବ୍ୟତୀତ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିର କାରବାର ହେଉଛି, ଯେଉଁଥିରେ ଟଙ୍କାର ଦେଣନେଣ ହୋଇ ନଥାଏ କିନ୍ତୁ ନିୟମ ଅନୁଯାୟୀ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଥାଏ। ପରିବାରର ଜଣେ ସଦସ୍ୟ ଅନ୍ୟ ଜଣକୁ ଦେଇଥିବା ସମ୍ପତ୍ତିର ଏକ ଦାନ ବା ଉପହାରରେ ଷ୍ଟାମ୍ପ ଡ୍ୟୁଟି ଲଗାଯିବା ଉଚିତ ନୁହେଁ ।

ଏହାକୁ ଦୃଷ୍ଟିରେ ରଖି ପରିବାରର ଅସ୍ଥାବର ସମ୍ପତ୍ତି ବଣ୍ଟନ ଦାନ କାରବାର ଉପରେ ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି।

Share