ଏକମାତ୍ର ପୁଅର ୨ କିଡ୍‌ନୀ ଖରାପ

ପାଟଣା,୨୩ା୬(ବୀର କିଶୋର ଦାଶ): ସାଙ୍ଗସାଥୀଙ୍କ ମେଳରେ ଖେଳିବା, ବୁଲିବା କଥା; କଅଁଳ ବୟସରେ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ ଚୀନାମାଳିପଶି କେତାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି। ଶରତ ଚନ୍ଦ୍ର ସେଠୀ, ଜ୍ୟୋସ୍ନାରାଣୀଙ୍କ ଏକମାତ୍ର ପୁଅ ରିଙ୍କୁ(୧୩)ଙ୍କ ୨ କିଡ୍‌ନୀ ଖରାପ ହୋଇଯାଇଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସାରେ ବାଧା ଉପୁଜୁଛି। ପୁଅର ଚିକିତ୍ସା ନିମନ୍ତେ ସହାୟତା କରିବାକୁ ମା’ବାପା ଆକୁଳ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ରିଙ୍କୁଙ୍କୁ ୬ ବର୍ଷ ହୋଇଥିବା ବେଳେ ତାଙ୍କ ପେଟ ଓ ଆଖି ଫୁଲି ଯାଇଥିଲା, କଟକ ଶିଶୁଭବନରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ରିଙ୍କୁଙ୍କୁ ନେପ୍ରୋଥିକ ସେନଡ୍ରମ ହୋଇଥିବା ତତ୍କାଳୀନ ଶିଶୁଭବନ ଡା. ସୁବଳ ପ୍ରଧାନ କହିଥିଲେ। ଔଷଧ ଖାଇଲେ ରୋଗ ୧୨ ବର୍ଷ ବେଳକୁ ସମ୍ପୂର୍ଣ୍ଣ ଭଲ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏବେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଗତ ମାର୍ଚ୍ଚ ୯ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ମା’ବାପା କଟକ ଶିଶୁଭବନରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ଏକ ନିର୍ଦ୍ଦିଷ୍ଟ ମେଡିସିନ ଦୀର୍ଘ ଦିନ ଖାଇବା ଫଳରେ ରିଙ୍କୁଙ୍କ ୨ଟିଯାକ କିଡ୍‌ନୀ ଖରାପ ହୋଇଯାଇଥିବା ଡାକ୍ତର କହିଥିଲେ। କିଡ଼୍‌ନୀ ପ୍ରତିରୋପଣ ପାଇଁ ଡୋନରଙ୍କ ସହ ୧୮ରୁ ୨୦ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଏବେ ରିଙ୍କୁଙ୍କୁ ସପ୍ତାହରେ ୨ଥର ଡାଏଲିସିସ କରିବାକୁ କଟକ ନେବାକୁ ପଡୁଛି। ପାଖରେ ଯାହା ଟଙ୍କା ଥିଲା ସରିଯାଇଥିବା ଘର ସାମଗ୍ରୀ, ଅଳଙ୍କାର ବିକ୍ରି କରିସାରିଲେଣି। ଶିଶୁ ଭବନରେ ଡାଏଲିସିସ ଫ୍ରିରେ ହେଉଥିବା ବେଳେ ଯିବା ଆସିବା ପାଇଁ ଥରକୁ ୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଶରତ କହିଛନ୍ତି। ଶରତ ଜଣେ ଟ୍ରକ୍‌ ଡ୍ରାଇଭର ହୋଇଥିବା ବେଳେ ପୁଅକୁ ଛାଡି ଗାଡ଼ି ଚଲାଇବାକୁ ଯାଇପାରୁନାହାନ୍ତି। ଏଭଳି ସ୍ଥଳେ ପାଖରେ ଆଉ ଟଙ୍କା ପଇସା ନ ଥିବାରୁ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଶରତ ଆକୁଳ ନିବେଦନ କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଗରିବ ଅସହାୟ କିଶୋରର ଚିକିତ୍ସା ପାଇଁ ବେସରକାରୀ ଓ ସରକାରୀସ୍ତରରେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ଶୁକ୍ରବାର ଅସହାୟ ଦମ୍ପତି କେନ୍ଦୁଝର ଏମ୍‌ପି ଅନନ୍ତ ନାଏକଙ୍କୁ ଭେଟିବାକୁ ଯାଇଥିବା ବେଳେ ଅନନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପିଏସଓଙ୍କୁ ସାକ୍ଷାତ କରି ଦରଖାସ୍ତ ଦେଇଥିବା କହିଛନ୍ତି।