ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି। ବିଜେଡିର ଗୁପ୍ତ ବିଶୋୟୀ, ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ, କଂଗ୍ରେସର ଧର୍ମାନନ୍ଦ ନାୟକ ଓ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଅଞ୍ଚଳା, ଚଚରାଗୁଡ଼ା, ଡାବୁଗାଁ ଓ ମେଦନା ପଞ୍ଚାୟତର ୨୦,୩୧୩ ଭୋଟର ମତଦାନ କରିବେ। କରୋନା କଟକଣା ମଧ୍ୟରେ ପ୍ରାର୍ଥୀମାନେ ୫ଜଣଙ୍କୁ ସାଙ୍ଗରେ ନେଇ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ବିଜେଡିର ଗୁପ୍ତ ବିଶୋୟୀ ଜଣେ ସକ୍ରିୟ ଯୁବନେତା ହେବା ସହ ଲୋକଙ୍କ ସହ ସବୁବେଳେ ଯୋଡ଼ିହୋଇ ରହିଛନ୍ତି। ସେହିପରି ଭାଜପାର ଗୋବିନ୍ଦ ଗୋପାଳ ଅଗ୍ରୱାଲ ଜଣେ ବ୍ୟବସାୟୀ ହୋଇଥିବାବେଳେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଦେଇଛନ୍ତି। କଂଗ୍ରେସର ଧର୍ମାନନ୍ଦ ନାୟକ ରାଜନୀତିରେ ସକ୍ରିୟ ରହି ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ଚଚରାଗୁଡ଼ା ପଞ୍ଚାୟତର ସରପଞ୍ଚ, ୨୦୦୭ରୁ ୨୦୧୨ ସମିତିସଭ୍ୟ ଓ ୨୦୧୭ରୁ ଏ ପର୍ଯ୍ୟନ୍ତ ସରପଞ୍ଚ ପଦରେ ରହି ଲୋକଙ୍କ ସହ ସୁସମ୍ପର୍କରେ ରହିଛନ୍ତି। ତାଙ୍କ ବାପା ମଧ୍ୟ ପଞ୍ଚାୟତ ଆରମ୍ଭରୁ ୭ ଥର ସରପଞ୍ଚ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି। ତେଣୁ ଧର୍ମାନନ୍ଦଙ୍କ ପଲା ମଧ୍ୟ ଭାରି ରହିଛି। ତେବେ ୩ ଦଳର ପ୍ରଚାର ଓ ପ୍ରସାରକୁ ଅନୁଧ୍ୟାନ କଲେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ୩ ପ୍ରାର୍ଥୀଙ୍କ ଲଢ଼େଇରୁ ଲାଭ ଉଠାଇବା ନିମନ୍ତେ ସ୍ବାଧୀନ ପ୍ରାର୍ଥୀ ତାରାପ୍ରସାଦ ପାଣିଗ୍ରାହୀ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରିବା ସହ ବହୁମତ ପାଇବା ଆଶା ରଖିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ମୁଖ୍ୟ ବିଷୟ କରି ପ୍ରଚାର କରୁଥିବାବେଳେ ବିଜେଡି ଶାସନ ମଧ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ଭାଜପା। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ଅପାରଗତା ଓ ବିଫଳତାକୁ ନେଇ ଲୋକଙ୍କ ନିକଟକୁ ଯାଉଛି କଂଗ୍ରେସ। ସ୍ଥାନୀୟ ନିଯୁକ୍ତି, ଚାଷୀଙ୍କୁୁ ସାର ଯୋଗାଣରେ ବିଫଳତା, ମଣ୍ଡିରେ ଧାନ କଟନୀ ଛଟନୀ, ଉଠା ଜଳସେଚନ ନାଁରେ ଚାଷୀଙ୍କୁ ଠକିବା, ନାରୀ ନିର୍ଯାତନା, ପାଇଖାନା ଦୁର୍ନୀତି ଆଦିକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ତେବେ ଏଥର ନିର୍ବାଚନରେ ଜିଲା ପରିଷଦ ଆସନ ପାଇଁ ଦଳ ସହ ବ୍ୟକ୍ତିଗତ ଭାବମୂର୍ତ୍ତିକୁ ମଧ୍ୟ ଭୋଟର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ୪ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟରଙ୍କ ମନ କିଏ ଜିଣିବେ ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।