Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରେ ୯୪୩ ଦିନ ରହିଲେ ଉଦ୍ଧବ, ଏବେ ପର୍ଯ୍ୟନ୍ତ ୨ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ୫ ବର୍ଷ

ମୁମ୍ବାଇ,୩୦ ।୬: ମହାରାଷ୍ଟ୍ରରେ ୨୦୧୯ ନଭେମ୍ବର ୨୮ରେ ଆରମ୍ଭ ହୋଇଥିବା ଉଦ୍ଧବ ରାଜ ଏବେ ଶେଷ ହୋଇଛି । ଗତ ୧୦ ଦିନ ହେବ ଲାଗି ରହିଥିବା ରାଜନୈତିକ ସଙ୍କଟ ଶେଷରେ ଶେଷ ହୋଇଛି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ସେତିକି ନୁହେଁ ଉଦ୍ଧବ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ବି ଇସ୍ତଫା ଦେଇଛନ୍ତି । ଉଦ୍ଧବ ଠାକରେ ପ୍ରାୟ ୯୪୩ ଦିନ ମୁଖ୍ୟମନ୍ତ୍ରୀ ରହିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ଉଦ୍ଧବଙ୍କ ଇସ୍ତଫାକୁ ନେଇ ଆଲୋଚନା ଯୋର ଧରିଲା । ଆଉ ଏହାର ଠିକ୍ ୩୦ ମିନିଟ ପରେ ଉଦ୍ଧବ ଇସ୍ତଫା ଦେଇଦେଲେ ।
ତେବେ ମହାରାଷ୍ଟ୍ରର ରାଜନୀତି ବଡ ରୋଚକ । ଗୋଟିଏ ପଟେ ଉଦ୍ଧବ ଠାକରେ ୯୪୩ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଏଠାରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ୨ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନେ ଉଦ୍ଧବଙ୍କ ଭଳି ଅଧାରୁ ବିଦା ହୋଇଛନ୍ତି । ତେବେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନବିଶ ଓ ବସନ୍ତରାଜ ନାଇକ । ୧୯୬୦ରେ ମହାରାଷ୍ଟ୍ର ଅଲଗା ରାଜ୍ୟ ହେବା ପରେ ବସନ୍ତରାଜ ନାଇକ ୧୯୬୩-୧୯୬୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଥିଲେ । ଏହାପରେ ୧୯୬୭ରେ ଦ୍ୱିତୀୟ ଥର ବସନ୍ତରାଜ ବି ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରେ ୨୦୧୪ରେ ଭାରତୀୟ ଜନତା ପାର୍ଟି(ଭଜାପା) ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡନବିଶ ବି ୫ ବର୍ଷ କାର୍ଯ୍ୟକାଳ ପୁରଣ କରିଛନ୍ତି ।

Share