ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ହଟିବ

ଜେନେଭା, ୧।୧୦: ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ପୃଥିବୀରୁ ହଟିପାରିବ। ଏନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଜାତିସଂଘର ଜୈବ ବିବିଧତା ଶିଖର ସମ୍ମିଳନୀରେ ଯୋଗଦେଇ ମତପୋଷଣ କରିଛନ୍ତି। ମଣିଷ ନିଜ ସୁବିଧା ପାଇଁ ପ୍ରାକୃତିକ ପରିବେଶକୁ ନଷ୍ଟ କରିଚାଲିଛି। ଫଳରେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଭାରତ ସବୁବେଳେ ପ୍ରକୃତି ସହିତ ସାମଞ୍ଜସ୍ୟ ସୃଷ୍ଟି ଲାଗି ଉଦ୍ୟମ ଅବ୍ୟାହତ ରଖିଛି। ଏହା ଭାରତୀୟ ସଂସ୍କୃତି ସହିତ ନିବିଡ଼ ଭାବେ ଜଡ଼ିତ ହୋଇ ରହିଛି। ପ୍ରକୃତିକୁ ନଷ୍ଟ କଲେ କିଭଳି ସ୍ଥିତି ଉତ୍ପନ୍ନ ହେବ ତାହା କରୋନା ମହାମାରୀ ସଂକ୍ରମଣ ଏକ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ଏହା ଆଗାମୀ ଦିନରେ ଦେଖାଦେବାକୁ ଥିବା ଗୁରୁତର ସମସ୍ୟାର ଏକ ସଙ୍କେତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଶିଖର ସମ୍ମିଳନୀରେ ୧୫୦ ଦେଶର ପ୍ରତିନିଧି ଯୋଗଦେଇ ଜୈବ ବିବିଧତା ଉପରେ ନିଜର ମତ ପୋଷଣ କରିଥିଲେ।

Share