କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋଲା ପବନ ଏବଂ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି ଜର୍ଜିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବନ୍ଦ ହୋଇ ରହିଥିବା ସ୍ଥାନରେ କରୋନା ସଂକ୍ରମଣ ଶୀଘ୍ର ହୋଇଥାଏ। ତେବେ ଖୋଲା ପବନରେ ସଂକ୍ରମଣ ଅଧିକ ହୋଇ ନ ଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭୂତାଣୁ ବାୟୁରେ ଭାସି ଭାସି ଦୂରସ୍ଥାନକୁ ଯାଉଥିବା ଆଶଙ୍କା ରହିଥିବା ନେଇ ରିପୋର୍ଟରେ କୁହାଯାଇଛି। ମାତ୍ର ବାୟୁରେ କରୋନା ସଂକ୍ରମଣ ହେଉଥିବା ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଏଥିରେ ଦର୍ଶାଯାଇଛି। ଏନେଇ ପ୍ରଫେସର ୟେ ଶେନ୍‌ କୁହନ୍ତି ଯେ, କରୋନାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ମାର୍ଗଦର୍ଶିକାକୁ ପାଳନ କରିବା ସହିତ ରହୁଥିବା ସ୍ଥାନର ପରିମଳ ବ୍ୟବସ୍ଥା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବେଶ ଖରାପ ରହିଲେ କରୋନା ଭୂତାଣୁ ସହଜରେ ନଷ୍ଟ ହୋଇ ନ ଥାଏ। ତେଣୁ ଏନେଇ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share