ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର

ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ  ଲୁଚକାଳି ଚାଲିଛି। ମଦଦୋକାନୀ ଜଣକ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ମଦ ବିକିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହିଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜଣେ ମଦଦୋକାନୀ ପୋଲିସ ପ୍ରତି ଏପରି ବ୍ୟବହାର କରୁଥିବା ବେଳେ ପୋଲିସ ଚୁପ୍‌ ରହିବା ଘଟଣା ପୋଲିସ ବିଭାଗ ପ୍ରତି ଏକ ଅପମାନ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଜିଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ରାତି ସାଢ଼େ ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା ଚା’ ଦୋକାନ ଓ ଢାବାହୋଟେଲଗୁଡ଼ିକୁ ବନ୍ଦ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ପୁରୁଷୋତ୍ତମପୁର ପୋଲିସ ଠିକ୍‌ ରାତି ସାଢ଼େ ଦୋକାନ ବନ୍ଦ କରୁଛନ୍ତି। ମାତ୍ର ଯେଉଁ ମଦ ପିଇବା କାରଣରୁ ହିଂସା ଘଟୁଛି ତାହାକୁ ବନ୍ଦ କରାଯାଉନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି ଚାଲୁଛି। ପୋଲିସ ରାତିରେ ଧର୍ମକୁ ଆଖିଠାର ଭଳି ବିଦେଶୀ ମଦଦୋକାନକୁ ବନ୍ଦ କରିବାକୁ ଯାଇଥିଲା। ହେଲେ ଦୋକାନୀ ପୋଲିସକୁ ଖାତିର ନ କରି ଓଲଟା ପୋଲିସ ସହ ଲୁଚକାଳି ଖେଳି ଚ୍ୟାଲେଞ୍ଜର ସହ ରାତି ସାଢ଼େ ୧୦ଟା ଯାଏ ମଦ ବିକ୍ରି କରିବାରେ ଲାଗିଥିଲେ। ମଦଦୋକାନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share