ଖୋଲିଲା ୪ ନଂ. ମାଛ ମାର୍କେଟ

ଭୁବନେଶ୍ୱର,୧୯।୮: ୧୦ ଦିନ ଧରି ସିଲ୍‌ ହୋଇ ରହିଥିବା ୟୁନିଟ୍‌-୪ ମାଛ ମାର୍କେଟ ବୁଧବାରଠାରୁ ଖୋଲିଛି। ବ୍ୟବସାୟୀ ସଂଘର ଅନୁରୋଧକୁ ବିଚାର କରି କୋଭିଡ୍‌ କଟକଣା ମଧ୍ୟରେ ମାଛ ମାର୍କେଟ ଖୋଲିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନୁମତି ଦିଆଯାଇଥିବା ଉପାୟୁକ୍ତ ଅଂଶୁମାନ ରଥ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୬୮ରେ ଜଣାଇଛନ୍ତି। ଏଥିସହିତ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଧା ଯାଇଥିବା ବାଉଁଶ ବାଡ଼ାକୁ ଖୋଲି ଦିଆଯାଇଛି। ଗୁରୁବାରଠାରୁ ମାଛ ମାର୍କେଟ ପୂର୍ବପରି ସ୍ବାଭାବିକ ହେବ ବୋଲି ସଂଘର ବରିଷ୍ଠ ସଭ୍ୟ ସେଖ୍‌ କୁଦୁସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁନିଟ୍‌-୪ ମାଛ ମାର୍କେଟରେ ଉଭୟ ହୋଲ୍‌ସେଲ୍‌ ଓ ଖୁଚୁରା ବ୍ୟବସାୟ ହୋଇଥାଏ। ତେବେ କେତେଜଣ ବ୍ୟବସାୟୀ ଶନିବାର ଓ ରବିବାର ଶଟ୍‌ଡାଉନ୍‌ରେ ବେପାର କରୁଥିବା ନେଇ ବିଏମ୍‌ସି ଜାଣିବାକୁ ପାଇବା ପରେ ଅତିରିକ୍ତ କମିଶନର, ଦକ୍ଷିଣ ପୂର୍ବ ଜୋନ୍‌ ଉପାୟୁକ୍ତ ଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ହାଟରେ ଚଢ଼ାଉ କରିଥିଲା। ଏହି ସମୟରେ କେତେକ ମାଛ ଗଦି ଖୋଲାଥିବା ଓ ଗ୍ରାହକ ରହିଥିବା ଦେଖିବାକୁ ମିଳିଥିଲା। ବାରମ୍ବାର ତାଗିଦ୍‌ ସତ୍ତ୍ୱେ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରାଯାଉଥିବାରୁ ଶେଷରେ ବିଏମ୍‌ସି ପକ୍ଷରୁ ଗତ ୮ ତାରିଖରୁ ମାଛ ମାର୍କେଟକୁ ସିଲ୍‌ କରିଦିଆଯାଇଥିଲା। ଏହି ଘଟଣା ପରେ ୟୁନିଟ-୪ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଏମସି କମିଶନର ସଞ୍ଜୟ ସିଂହଙ୍କୁ ଭେଟିଥିଲେ। ମାର୍କେଟ ବନ୍ଦ ରହିଲେ ପ୍ରାୟ ୫୦୦ ଖୁଚୁରା ବ୍ୟବସାୟୀଙ୍କ ସମେତ ୩୯ ମାଛ ଗଦିର ମୋଟ ୧୦୦୦ କର୍ମଚାରୀ ଓ ତାଙ୍କ ପରିବାର ସାମସ୍ୟାରେ ପଡିବେ। ତେଣୁ ତୁରନ୍ତ ମାଛ ମାର୍କେଟ ଖୋଲିବାକୁ ବିଧାୟକ ଓ କମିଶନରଙ୍କୁ ସଂଘ ଅନୁରୋଧ କରିଥିଲା। ବାସ୍ତବ ସ୍ଥିତିକୁ ଅନୁଭବ କରିବା ପରେ ବିଏମ୍‌ସି ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛି। ବିଏମ୍‌ସିର ଏହି ନିଷ୍ପତ୍ତିକୁ ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ଜମ୍ବେଶ୍ୱର ମଲ୍ଲିକ ସ୍ବାଗତ କରିଛନ୍ତି।

Share