କେନ୍ଦୁଝର,୨୮ା୩(ସ୍ବ.ପ୍ର.): ସାତ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ସୋମବାର ଖୋଲିଛି। ଖୋଲିବା ପରେ ଲୋକେ ପ୍ରାତଃ ଭ୍ରମଣ କରିବା ସହ ପାର୍କର ମଜା ନେଇଥିଲେ। ବହୁ ଦିନ ପରେ ଖୋଲିଥିବାରୁ ସ୍ଥାନୀୟ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ କେନ୍ଦୁଝର ଜିଲା ଗସ୍ତ ସମୟରେ ଏହାକୁ ଉଦ୍ଘାଟନ କରିଥିଲେ। ଏକ ମାସ ପରେ ବି ଏହି ପୋଖରୀ ଖୋଲାଯାଇ ନ ଥିଲା। ଫଳରେ ସ୍ଥାନୀୟ ଲୋକମାନେ ଏହା ମଧ୍ୟରେ ଥିବା ପାର୍କ ବୁଲିବା ସହ ବ୍ୟାୟାମ, ପ୍ରାତଃ ଭ୍ରମଣ ଆଦି କରିପାରୁ ନ ଥିଲେ। ଠିକାଦାର କାମ ନ ସାରି ବିଳମ୍ବ କରିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିଲା। ଠିକା ସଂସ୍ଥା କାମ ସାରିବାରେ ବହୁ ବିଳମ୍ବ କରିଥିବା ବେଳେ ତାଲା ପକାଇ ରଖିଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ଧରିତ୍ରୀରେ କେବେ ଖୋଲିବ ହାଡ଼ବନ୍ଧ ପୋଖରୀ ଶୀର୍ଷକ ଖବର ଗତ ୨୫ ତାରିଖରେ ପ୍ରକାଶ ପାଇବା ପରେ ରବିବାର ପୋଖରୀ ଖୋଲିବା ନେଇ ନିଷ୍ପତ୍ତି ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ଜଣାପଡ଼ିଛି। ତେବେ ଏହି ପୋଖରୀର ସୌନ୍ଦର୍ଯ୍ୟକରଣ କରି ସାଧାରଣ ଲୋକଙ୍କ ଗାଧୋଇବା ଉପରେ କଟକଣା ଲାଗୁ କରାଯାଇଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବିକଳ୍ପ ବ୍ୟବସ୍ଥା କରାଗଲେ ଗାଧୋଇବା କାମ ସହ ଶୁଦ୍ଧି ଓ ଧାର୍ମିକ କାମ କରିପାରନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି।