କଟକଣାରେ ଖୋଲିଲା

ଭୁବନେଶ୍ୱର, ୩।୮ (ବ୍ୟୁରୋ): ଦୀର୍ଘ ୩ ମାସର କରୋନା କଟକଣା ପରେ ସୋମବାର ରାଜଧାନୀରେ ଶପିଂ ମଲ, ପାର୍କ ଓ ରେଷ୍ଟୁରାଣ୍ଟ ଖୋଲିଛି। ପ୍ରଥମ ଦିନରେ ସହରରେ ନୂଆ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ସହରବାସୀ ପାର୍କ ମୁହାଁ ହୋଇଥିଲେ। ଦୀର୍ଘଦିନ ଧରି ପାର୍କ ବନ୍ଦ ଥିବାରୁ ଲୋକମାନେ ପ୍ରାତଃ ଭ୍ରମଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତାରେ ପ୍ରାତଃଭ୍ରମଣ ବେଳେ ସତର୍କତାର ସହ ଯିବାଆସିବା କରିବାକୁ ପଡୁଥିଲା। ଏବେ ପାର୍କ ଖୋଲିଥିବାରୁ ସେମାନେ ଏହାର ସୁଯୋଗ ହାତଛଡ଼ା କରିବାକୁ ଚାହିଁ ନ ଥିଲେ। ମାସ୍କ ପିନ୍ଧି ଲୋକମାନେ ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ ସହ ଯୋଗ ଓ ମୁକ୍ତାକାଶ ଜିମ୍‌ର ସୁବିଧା ନେଇଥିଲେ। ସେହିଭଳି ମଲ୍‌ରେ ଆରମ୍ଭରୁ ସେତେଟା ଭିଡ ଦେଖିବାକୁ ମିଳି ନ ଥିଲେ ମଧ୍ୟ ରାଜଧାନୀ ରାସ୍ତାରେ ଗାଡିମୋଟର ସଂଖ୍ୟା ବଢ଼ିଯାଇଥିଲା। ତେବେ କରୋନା ଗାଇଡ୍‌ଲାଇନକୁ ଅନୁପାଳନ ପୂର୍ବକ ମଲ୍‌ କର୍ତ୍ତୃପକ୍ଷ ବେଶ୍‌ ସଚେତନ ଥିବା ଦେଖାଯାଇଥିଲା। ମଲ୍‌ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତଙ୍କୁ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଥିଲା। ମୁହଁରେ ମାସ୍କ ଲଗାଇବା ସହ ମଲ୍‌ ଭିତରକୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକାର ଡବଲ୍‌ ଡୋଜ୍‌ ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ ଥିଲା। ସେହିପରି ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଥିବାରୁ ମାଲିକମାନେ ମଧ୍ୟ ସେପରି ଆୟୋଜନ କରିଥିଲେ। ପୂର୍ବରୁ କେବଳ ପାର୍ସଲ ନେବାକୁ ନିର୍ଦ୍ଦେଶ ରହିଥିଲା। ଏବେ ଅନୁମତି ମିଳିବା ପରେ ଗ୍ରାହକମାନେ ରେଷ୍ଟୁରାଣ୍ଟରେ ବସି ଖାଇବାର ମଜା ଉଠାଇ ଥିଲେ। ରାସ୍ତାକଡରେ ଉଠାଦୋକାନୀମାନେ ବ୍ୟବହାର ଆରମ୍ଭ କରିଥିବାବେଳେ ଗ୍ରାହକମାନେ ଠିଆ ହୋଇ ଖିଆପିଆ କରିବାର ପୁରୁଣା ଅନୁଭୂତିକୁ ସାଉଣ୍ଟିଥିଲେ।
ବ୍ୟବସାୟ ସହିତ ଶପିଂ ମଲ୍‌ଗୁଡିକ ସରକାରଙ୍କ ଏସଓପି ଠିକ୍‌ ଭାବେ ପାଳନ କରୁଛନ୍ତି କି ନାହିଁ ସେ ନେଇ ବିଏମ୍‌ସି ପକ୍ଷରୁ ନଜର ରଖାଯିବ। ନିୟମ ଅନୁଯାୟୀ ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକାକରଣ ପ୍ରମାଣପତ୍ର, ମାସ୍କ, ସାମାଜିକ ଦୂରତା ଆଦିକୁ ମଲ୍‌ କର୍ତ୍ତୃପକ୍ଷ କେତେଦୂର ପାଳନ କରୁଛନ୍ତି ତାହାର ତଦାରଖ କରିବା ପାଇଁ ବିଏମ୍‌ସି ପକ୍ଷରୁ ଆବଶ୍ୟକ ସ୍ଥଳେ ଚେକିଂ କରାଯିବ ବୋଲି ସୂଚନା ଦିଆଯାଇଛି।

Share