Categories: ଖେଳ

ବୃହତ୍‌ ବିଜୟ ସହ ଖୋଲିଲା ପଏଣ୍ଟ ଖାତା

ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦଳ ୬୬ ରନ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ପଏଣ୍ଟ ଖାତା ଖୋଲିବା ସହ ନେଟ୍‌ ରନରେଟ୍‌ (+୦.୦୭)ରେ ସୁଧାର ଆଣିଛି।

ଆରମ୍ଭରୁ ଛକା, ଚୌକା ବର୍ଷା କରିଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୧୪୦ ରନ୍‌। ଏହା ଟି୨୦ ଫର୍ମାଟରେ ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ରାହୁଲ ୬୯ (୬ ଚୌକା ଓ ୨ ଛକା) ଓ ରୋହିତ ୭୪ (୮ ଚୌକା ଓ ୩ ଛକା) ରନ୍‌ର ଇନିଂସ ଖେଳିଥିଲେ। ଦୁଇ ଓପନର ଆଉଟ୍‌ ହେବା ପରେ ଛକା, ଚୌକା ଭାର ସମ୍ଭାଳିଥିଲେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ବ୍ୟାଟର ୩ୟ ଉଇକେଟ ପାଇଁ୨୧ ବଲରେ ଯୋଡ଼ିଥିଲେ ୬୩ ରନ୍‌। ୧୩ ଲେଖାଏ ବଲ ଖେଳି ପନ୍ତ ୨୭ (୧ ଚୌକା ଓ ୩ ଛକା) ଓ ପାଣ୍ଡ୍ୟା ୩୫ (୪ ଚୌକା ଓ ୨ ଛକା) ରନ୍‌ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୦ ରନ୍‌ କରିଛି।

ଜବାବରେ ଭାରତୀୟ ବୋଲରମାନେ ଆଫଗାନିସ୍ତାନ ବ୍ୟାଟରଙ୍କୁ ସୁଯୋଗ ଦେଇ ନ ଥିଲେ। କିନ୍ତୁ ଅଧିନାୟକ ମହମ୍ମଦ ନବି ୩୫ ଓ କରିମ ଜନତ (୩୬*)ଙ୍କ ଯୋଗୁ ଆଫଗାନିସ୍ତାନ ୭ ଉଇକେଟ ହରାଇ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପାଇଁ ୩ ଉଇକେଟ ନେଇଥିବା ମହମ୍ମଦ ଶାମି ସଫଳତମ ବୋଲର ସାବ୍ୟସ୍ତ ହୋଇଥିଲେ। ଦୀର୍ଘ ଦିନ ପରେ ଭାରତୀୟ ଟି୨୦ ଦଳକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ୨ ଉଇକେଟ ନେଇଥିଲେ।

Share