Posted inଫୁରସତ

ଉଦ୍‌ଘାଟନ…

ବିଭିନ୍ନ ସୂତ୍ରରୁ ମିଳିଥିବା ବହୁ ଉପୁରି ଅର୍ଥରେ ଅନେକଦିନର ପ୍ରତୀକ୍ଷା ପରେ କେଳୁପଡ଼ା ଗାଁରେ ଖେଳିଯାଇଥିଲା ଖୁସିର ଲହରି । ସଞ୍ଜବୁଡ଼ିଲେ ବୁଢ଼ାବୁଢ଼ୀମାନେ ଯେଉଁ ଭାଗବତ ଟୁଙ୍ଗିରେ ବସି ପୁରାଣ ଶ୍ରବଣ କରୁଥିଲେ, ତା’ର ମାଟିକାନ୍ଥ ଭାଙ୍ଗି ଚାଳଛପର ଉଡିଯାଇ, ଗଲା ଫନୀ ବାତ୍ୟାଠାରୁ ଲାଗୁଥିଲା… ଯେମିତି ଆପଣାର ଲୋକ ମଲା ପରେ ଦଶତୁଠିଆ କାର୍ଯ୍ୟରେ ମୁଣ୍ଡକୁ ନଣ୍ଡା କଲାପରି । ପରେ କିନ୍ତୁ ନଣ୍ଡା ମୁଣ୍ଡରେ ଘଞ୍ଚ କୁଞ୍ଚୁକୁଞ୍ଚିଆ କେଶ ଉଠିଲେ ଯେମିତି ସୌନ୍ଦର୍ଯ୍ୟ ଫେରିଆସେ, ଠିକ୍‌ ସେମିତି ଦିଶୁଥିଲା ଭାଗବତ ଟୁଙ୍ଗି… ନୂତନ ଛାତଘର -ରଙ୍ଗରେ ସଜେଇ ହୋଇ । ଦୀପ କି ଲଣ୍ଠନ ଜଳୁଥିବା ଘରେ… ଆଖି ଝଲସିଆ ବିଜୁଳି ଆଲୁଅକୁ ଚାରି ଚାରିଟା ପଙ୍ଖା ଘିରି ଘିରି ବୁଲିବା ଦେଖି, ମନେହେଉଥିଲା.. ସତେକି ବୃଦ୍ଧ ଦେହରେ ଯୌବନ ଉଛୁଳିଲା ବାଗିଆ । ସୂରୁଯ ଉଇଁଆସୁଥିବା ପୂରୁବ ଦିଗରେ ଏଇ ଭାଗବତ ଟୁଙ୍ଗିର ନବକଳେବର ଦେଖି ଦାନ୍ତଶୂନ୍ୟ ବୁଢ଼ା-ବୁଢ଼ୀଙ୍କର ପାକୁଆ ହସ… ଲାଗୁଥିଲା ଭାରି ସରସିଆ । ତେଣେ ଗାଁର ପଶ୍ଚିମ ଦିଗରେ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଆଧୁନିକ ଯୁବ -ବର୍ଗଙ୍କ ମନ-ବାସନା ଚରିତାର୍ଥ କରିବାପାଇଁ ଗଢ଼ିଉଠିଥିଲା… ଗୋଟାଏ ସୁନ୍ଦର ଲମ୍ବା-ଚଉଡ଼ା ଛାତର ପକ୍କା କ୍ଲବଘର l

ଏଇସବୁ ଭିତରେ ଗାଁ ମଝିରେ ମଧ୍ୟ ନବୀକରଣ ହୋଇଛି… ନାରୀଙ୍କର ସଶକ୍ତୀକରଣ ଯୋଜନାରେ ଗୋଷ୍ଠୀ କେନ୍ଦ୍ର । ତେଣୁ ଯୁବ-ବୃଦ୍ଧ, ନର-ନାରୀ ସମସ୍ତେ ଖୁସିରେ ଅନେଇଥିଲେ… କୋଉଦିନ କୋଉ ନେତା /ମନ୍ତ୍ରୀ କି ବଡ଼ ଖେଳାଳି ନ ହେଲେ ଚଳଚ୍ଚିତ୍ର ତାରକାଙ୍କ ହସ୍ତରେ କତୁରିରେ ରିବନ କଟାଯାଇ ଉଦ୍‌ଘାଟନ ହେବ । ଆଉ ଗାଁ ଆରପଟରେ କେଉଁ ଜ୍ଞାନୀ ସାଧୁ-ସନ୍ଥଙ୍କ ଦ୍ୱାରା ଭାଗବତ ଘରେ ଉଦ୍‌ଘାଟନର ପ୍ରଥମ ପ୍ରଦୀପ ଜଳିବ ! ଗାଁ ଏ ମୁଣ୍ଡରେ ଉଚ୍ଚ ମଞ୍ଚରେ ଚାଲିବ… ଭାଷଣ ସାଙ୍ଗକୁ ନୃତ୍ୟ -ଗୀତାଦି ପରିବେଷଣ ଓ ସେ ମୁଣ୍ଡରେ… ସାଧୁ-ସନ୍ଥଙ୍କ ପ୍ରବଚନରେ ଏରିଆ କମ୍ପିବ !
ଏଥିପାଇଁ ଯେଉଁ ଅର୍ଥର ଆବଶ୍ୟକ… ତାହା ଆଗରୁ ସାଇତା ହୋଇ ରହିଛି… ଗଲା ନିର୍ବାଚନବେଳେ ବିଭିନ୍ନ ନେତୃବୃନ୍ଦଙ୍କ ସ୍ବଚ୍ଛ ଦାନର ଖର୍ଚ୍ଚପରେ ଆହୁରି ଲକ୍ଷାଧିକ ଟଙ୍କା । ଯାହା ଗାଁ ମୁରବୀଙ୍କ ଫଣ୍ଡରେ ସୁରକ୍ଷିତ ଅଛି l

ଗଲା ପନ୍ଦରଦିନ ତଳେ ଟୋକା -ବୁଢ଼ା -ନର -ନାରୀଙ୍କ ମିଳିତ ବୈଠକରେ ନିଷ୍ପତ୍ତି ହେଲା… ଏମିତି ଅତିଥିଙ୍କୁ ନିମନ୍ତ୍ରଣ କରାଯିବ, ଯାହାଙ୍କ କରକମଳରେ ଉଭୟ ଅନୁଷ୍ଠାନ ଉଦ୍‌ଘାଟନ ସାଙ୍ଗକୁ ଗୋଟାଏ ବଡ଼ ଜମାଣିଆ ଭୋଜିଭାତର ଆୟୋଜନ, ନାଚ-ଗୀତର ବ୍ୟବସ୍ଥା କରାଯିବ ! ଏଇ ଶୁଭ-ଖବର ଆଗରୁ ଶୁଣି, ଆସନ୍ତା ନିର୍ବାଚନର ଆଶାୟୀ ପ୍ରାର୍ଥୀମାନେ ଆଗୁଆ ଅନେକକିଛି ଉପହାର ଦେଇ ଆପଣା ବଦାନ୍ୟର ଗୁଣ ପ୍ରଦର୍ଶନ କରି ସାରିଛନ୍ତି । ଏଥିରେ କ୍ଲବଘର ପାଇଁ ଏଲ୍‌ଇଡି ଟିଭି, ଚେୟାର, ହକି, କ୍ରିକେଟ ଖେଳପାଇଁ ଷ୍ଟିକ, ବ୍ୟାଟ୍‌, ବଲ ଏବଂ ଭାଗବତ ଘର ତଥା ବୁଢ଼ା-ବୁଢ଼ୀଙ୍କ ଲାଗି ରାମାୟଣ, ମହାଭାରତ, ଭାଗବତ ପୁସ୍ତକ ସହିତ ଯିବା ଆସିବା ସୁବିଧାପାଇଁ ତଡ଼ା ବାଡ଼ି, ଛତା, ଜୋତା… ଏମିତି ଅନେକକିଛି । ଏଥର ମିଳିତ ବୈଠକରେ ଫଇସଲା ହେଲା… ରାଜ୍ୟର ମହାମାନ୍ୟଙ୍କ କର-କମଳରେ ଏଇ ଶୁଭକାର୍ଯ୍ୟ ଉଦ୍‌ଘାଟନ ସୁଚାରୁରୂପେ ଶୃଙ୍ଖଳିତ ଢଙ୍ଗରେ କରାଯିବ ! ତେବେ ଅସଲ କଥାଟିହେଲା… ମହାମାନ୍ୟ ତଥା ତାଙ୍କ ସହ ଆସୁଥିବା ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ପାଇଁ କ’ଣ କ’ଣ ରନ୍ଧାଯିବ ! ଯୁବଗୋଷ୍ଠୀ ଲେଖି ଆଣିଥିବା ଆଇଟମ୍‌ର ଲମ୍ବାତାଲିକା ପଢ଼ି ଶୁଣାଇବା ଆରମ୍ଭ କରୁକରୁ, ଗାଁ ର ବୁଢ଼ା-ମୁରବୀ ମକର ସାହୁ, କିଆବୁଦାପରି ରଖିଥିବା ତାଙ୍କ ପାଚିଲା ନିଶକୁ ଦୁଇହାତରେ ସାଉଁଳିଦେଇ କଳରେ ଜାକିଥିବା କଡ଼ା ପାନକୁ ହାତରେ କାଢ଼ି ବସିଥିବା ଘରଭିତରୁ ବାହାରକୁ ଫିଙ୍ଗିଲାବେଳକୁ, ବଗୁଲିଆ-ରଙ୍କରାଗୁଆ ନବା ଛାତିରେ ଲଥକରି ପିଟିହୋଇ ପଡିଲା । ରାଗରେ ବସିଥିବା ଜାଗାରୁ ଉଠି କ’ଣ ଗୋଟାଏ କରିବାକୁ ଯାଉ ଯାଉ, ସାଙ୍ଗମାନେ ତା ପାଟିକି ଚାପିଧରି ଭିଡ଼ି ବସେଇ କହିଲେ… ରହିଯା ନବା ! ଏଇନେ ଧୈର୍ଯ୍ୟ ଧର । ସଭା ସରିଲେ ବୁଝାଯିବ ! ପଛପଟୁ ଯୁବଗୋଷ୍ଠୀର ସଭାପତି-କଣ୍ଡୁରିଆ ଉଠି ତାଲିକା ପାଠକରି ଶୁଣାଇଲା.. ଆମିଷ-ନିରାମିଷ ଭୋଜିହେବ । ମଟନ କଷା, ଚିକେନ-ବିରିୟାନୀ ସାଙ୍ଗକୁ ମସୃମ, ପନିର ମସଲା… ଇତ୍ୟାଦି ଭେଜ୍‌ ଆଇଟମ ହେବ । ମୁରବି-ମକର ସାହୁ ଶୁଣି ଭାରି ଖପାହୋଇ କିଆ ବୁଦିଆ ନିଶକୁ ମୋଡ଼ି ଖାଡାହେଇ କହିଲେ… ଧେ ତେରିକି! ହୈ ରେ, ଏଗୁରା କ’ଣ ଭଦ୍ରଲୋକ ଖାଆନ୍ତି ? ସେ ଅସୁରିଆ ଖାଦ୍ୟ ଛାଡ଼! ମୁଁ ମୋ ଅଭିଜ୍ଞତାରୁ ବୟସ୍କ ଦୃଷ୍ଟିରୁ ବୁଝିବିଚାରି ଯାହା କହୁଛି, ତା ମାନ! କାଗଜ କଲମ ଧରି ନେଖି ପକାଅ। ଏକରେ ଅସଲି ଢିଙ୍କିକୁଟା ଶାରଦ ଉଷୁନା ଚାଉଳର ଅନ୍ନଟେ ହବ । ତା’ ସାଙ୍ଗକୁ କୁଞ୍ଜିଆ କୋଳଥ ଡାଲିରେ ଆମ୍ବୁଲ ଫଡ଼ା ପଡ଼ି ଭଲକି ସୋରିଷ ତେଲରେ ରସୁଣ ଛୁଙ୍କ ଦିଆଯାଇ ବଘରାଟାଏ ହବ। ତା’ ସାଥିକି ଛୋଟ ମହୁରାଳି ମାଛରେ ସୋରିଷ ବେସରଦେଇ ଅଳପ ରାଗରେ ତରକାରିଟେ ହବ । ଆଉକିଛି ଚୂନାମାଛକୁ ପୋଇ ପତରରେ ହଳଦୀ ବେସର ଗୋଳେଇ ଗୋବର ଘସି ଚୁଲିରେ ପୋଡ଼ାଯାଇ ତେଲ, ଲୁଣ, ଲଙ୍କା, ଅଦା, ପିଆଜ, ରସୁଣ ମିଶେଇ ଛେଚିକି ଚଟଣିଟାଏ ହବ । ହବ ଯେ, ହେଇଟି! ମୋ କଥା ମନେରଖିଥିବ, ପ୍ରଥମେ ଅଳପ ଦେଇ ପଛକୁ ବହୁତ ରଖିଥିବ । ନଇଲେ ପାଟିରେ ସୁଆଦ ବାରି ଖାଇଦେଇ ପୁଣି ମାଗିଲେ, ଇଜ୍ଜତ ପଳେଇବଟି…! ମୋ କଥା ପିଲାଏ ମାନ । ଅଝଟ ହୁଅନା… ଏଇଟା ଆମ ଗାଁର ସନମାନ !

ଏ କଥା ଶୁଣି ଯେମିତି ଢଙ୍ଗରେ ଫେଁ ଫେଁ ହୋଇ ଟୋକାମାନେ ହସି ମୁରବୀଙ୍କ କଥାକୁ ଉଡେଇ ଦେଇ ନାହିଁ ନ ଥିବା ଶବ୍ଦରେ ବିସ୍ଫୋରଣ କଲେ, ବିଚରା ବୁଢ଼ା ମୁରବୀଠୁ ସବୁ ବୟସ୍କଙ୍କ ଦେହରେ ଧାନୁଆଁ ଲଙ୍କା ବାଟି ବୋଳିଲା ଭଳିଆ ଲାଗିଲା। ସେମାନେ ରାଗିପାଚି ଉଚ୍ଛନ୍ନ । ମୁରବୀଙ୍କ କଥାକୁ ସମର୍ଥନ ଜଣେଇ, କଡ଼ା ଭାଷାରେ ଟୋକାଙ୍କୁ ଗାଳିଦେଇ ମୋହନ ମଉସା କହିଲେ… ଆରେ ହେ! ତମ ବୋପା-ମା’ କଣ ଏଇଆ ଶିଖେଇଛନ୍ତି? ବଡ଼ଙ୍କୁ କେମିତି ସମ୍ମାନ ଦିଆଯାଏ ଜାଣିନ? ଏତକ ଶୁଣି ରଙ୍କରାଗୁଆ ନବା ତ ମୁରବୀଙ୍କ ପାଟିର କଢ଼ାଯାଇଥିବା ପାନ ତା’ ଉପରେ ପଡ଼ିଥିବାରୁ ରାଗିକି ଥିଲା, ଏବେ ଉଠି ଗର୍ଜନକରି କହିଲା… ହୈ ହେ, ତମେ ଆମ ବୋପା -ମା’ଙ୍କ ନାଁ ଧରିବାକୁ କିଏ? ଟୋକାଏ ଠିଆହୋଇଯାଇଥିଲେ। ପାଟି ତୁଣ୍ଡ ଗଣ୍ଡଗୋଳ ଚାଲିଲାବେଳେ, ଏଇ ମଉକାରେ ନବା ପଛରୁ ଠେଲିଦେଇ କିଛି ଟୋକାଙ୍କୁ ମୁରବୀଙ୍କ ଉପରେ ପକେଇବା ଦେଖି, ବୁଢ଼ାଏ ଧରିଥିବା ତଡ଼ା ବାଡ଼ି ବୁଲେଇ କେଇଜଣଙ୍କ ପିଠିରେ ଭଲକି ନାଦିଦେଇ ଗଲେ l ଆଉଦଳେ ଆଗରୁ ଆଗରୁ ପାରିବାରିକ କଳହର ପ୍ରତିଶୋଧ ନେବାର ଏଇ ସୁବର୍ଣ୍ଣ ସୁଯୋଗ ହାତେଇଲେ। ଚାଲିଲା ଚାରିଘଣ୍ଟା ରାତିଅଧିଆ ଘମାଘୋଟିଆ ଖଣ୍ଡ-ଯୁଦ୍ଧ । ବୟସ ସମ୍ମାନ ନିର୍ବିଶେଷରେ ଅନେକେ କ୍ଷତ ବିକ୍ଷତ ହୋଇ ବୁହାହୋଇ ଆମ୍ବୁଲାନ୍ସରେ ମେଡିକାଲ ଗଲାପରେ ନାଟ ଲଗେଇଥିବା କିଛି ଭଦ୍ରଲୋକ ଭଲେଇହୋଇ ହାତ ହଲେଇ, ଗାଁ ଦାଣ୍ଡରେ ଠିଆହୋଇ କହୁଥିଲେ… ଆରେ ଆମେ ଯଦି ବୁଦ୍ଧିକରି ଗଣ୍ଡଗୋଳ ରୋକି ନ ଥାନ୍ତୁ… ତେବେ କ’ଣ ନାଇଁ କ’ଣ ହୋଇଯାଇଥାନ୍ତା ହୋ !

ଆଗରୁ କେବେ କଳି ପଶୁ ନ ଥିବା କେଳୁପଡ଼ା ଗାଁରେ ଏବେ ଏମିତିଆ କିଛି ଘଟଣା ସାଧାରଣ ହୋଇଗଲାଣି । ଆଠଦିନ ତଳେ ମହିଳାମାନଙ୍କ ସଶକ୍ତୀକରଣ ଯୋଜନାର ସଫଳ ପରୀକ୍ଷଣ ହୋଇସାରିଥିଲା, ଯେବେ ଉପରୁ ଆସିଥିବା ମୋଟା ଟଙ୍କାର ବଣ୍ଟାକୁଣ୍ଟାକୁ ନେଇ ହିସାବ ନ ତୁଟିବାରୁ ଭାଉଜ, ନାନୀ, ଖୁଡ଼ୀମାନଙ୍କ ମଧ୍ୟରେ ଖରାବେଳେ ଗାଁ ମଝିରେ ଚୁଟି ଧରାଧରି ହୋଇସାରିଥିବା ଏହାର ବଳିଷ୍ଠ ପ୍ରମାଣ।

ଯା ହେଉ, ଏଇ ଯୁବ-ବୃଦ୍ଧଙ୍କ ଯୁଦ୍ଧର ଚାରିଦିନ ପରେ, ଆତଙ୍କବାଦୀଙ୍କ ବୋମା ଆକ୍ରମଣରେ କୋଠାଘର ଭୁଶୁଡିବାପରି, ଯୁବଶକ୍ତିର କ୍ରୋଧର ବିସ୍ଫୋରଣରେ… ନୂଆକରି ଗଢ଼ାଯାଇଥିବା ଭାଗବତ ଟୁଙ୍ଗି ଭାଙ୍ଗି, ଭଙ୍ଗା କାନ୍ଥଗୁଡା ଯେମିତି ବୃଦ୍ଧମାନଙ୍କ ଧର୍ମଭାବନାକୁ ଦାନ୍ତନିକୁଟି ଉପହାସ କରୁଥିଲା l ସେମାନେ ସଞ୍ଜବୁଡ଼ିଲେ ଘରେ ଦୁଆରକିଳି ବସିଥିଲାବେଳେ, ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କର ଆଖଡ଼ା ଜମୁଥିଲା ଅଣ ଉଦ୍‌ଘାଟିତ କ୍ଲବଘରେ । ନିଇତି ସଞ୍ଜରେ ବ୍ରଏଲର କୁକୁଡ଼ା ମାଉଁସ ଭୋଜିକି ନାଲିପାଣି ବୋତଲ ସାଙ୍ଗରେ। ସ୍ମାର୍ଟ ଫୋନରେ ଟିପ ଘଷି ଅଧିକ ନିଶା ମୁଣ୍ଡକୁ ଚଢିଗଲାପରେ… ଆଲୋଚନା କରୁଥିଲେ -ଏ ଦେଶର ରାଜ୍ୟର ନେତାମାନଙ୍କ ଚରିତ୍ର କେମିତିକା ସୁଧୁରିବ ! ସାରା ଦୁନିଆରେ ଆମ ଭାରତ କେମିତି ଏକ ନମ୍ବର ହେବ!

– ମଙ୍ଗରାଜ ପୁର, ପୁରୀ ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri