ଭୁବନେଶ୍ୱର, ୨।୮ (ବ୍ୟୁରୋ):ମାର୍କେଟ ବିଲ୍ଡିଂରେ କିଏ ବସିବ, କିଏ ଉଠିବ ତାକୁ ନେଇ ଚାଲିଛି ଟଣାଓଟରା। ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଯୋଗୁ ରବିବାରଠାରୁ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିବାବେଳେ ସମସ୍ୟା ସମାଧାନର ରାସ୍ତା ବାହାରିପାରୁନାହିଁ। ସୋମବାର ସ୍ଥାୟୀ ଦୋକାନୀ ସଂଘର ସଦସ୍ୟ କମିଶନରଙ୍କୁ ଭେଟିବାକୁ ଯାଇ ନିରାଶ ହୋଇ ଫେରିଥିବା ବେଳେ ମେୟରଙ୍କୁ ଭେଟିଥିଲେ ଉଠାଦେକାନୀ। ମାତ୍ର ସେଭଳି କିଛି ଆଖିଦୃଶିଆ ଆଲୋଚନା ହୋଇ ନଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ଅପରପକ୍ଷେ ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀମାନେ ଗୁଣ୍ଡାରାଜ କରୁଥିବା ସ୍ଥାୟୀ ଦୋକାନୀମାନେ ଅଭିଯୋଗ ଆଣିଛନ୍ତି। ଉଠା ଦୋକାନୀଙ୍କ ପାଇଁ ସ୍ଥାୟୀ ଦୋକାନୀଙ୍କ ବେପାର ମାନ୍ଦା ହେଉଛି। ଜଣେ ଦୋକାନ ଖୋଲିଲେ ତାଙ୍କୁ ଦେଖି ଆଉ କିଛି ଦୋକାନ ଖୋଲୁଛନ୍ତି। ଫୁଟ୍ପାଥରେ ବ୍ୟବସାୟ କରିବାର ନିୟମ ନ ଥିବାବେଳେ କିଭଳି ଏମାନେ ବ୍ୟବସାୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏମାନଙ୍କ ପଛରେ ବଡ ବଡ ଅଧିକାରୀଙ୍କ ହାତ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି। ଉଠା ଦୋକାନୀମାନେ ଦୋକାନର ପ୍ରବେଶ ଦ୍ୱାର ବି ଅବରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ମାର୍କେଟ ବିଲ୍ଡିଂ ସମ୍ପୂର୍ଣ୍ଣ ବାରଣ ନ କଲେ ମାର୍କେଟ ଖୋଲାଯିବ ନାହିଁ ବୋଲି ରୋକ୍ଠୋକ କହିଛି ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ୍। ସେହିପରି ଉଠା ଦୋକାନୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି।