ଅପରେଶନ ଅଜୟ: ୬ ନମ୍ବର ବିମାନରେ ଇସ୍ରାଏଲରୁ ଦିଲ୍ଲୀ ପହଞ୍ଚିଲେ ୧୪୩ ନାଗରିକ, ଅଛନ୍ତି ୨ ନେପାଳି ନାଗରିକ

ନୂଆଦିଲ୍ଲୀ/ତେଲ ଆଭିବ,୨୩।୧୦: ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ‘ଅପରେସନ ଅଜୟ’ ଅଧୀନରେ ନେପାଳର ଦୁଇ ନାଗରିକଙ୍କ ସମେତ ୧୪୩ ଜଣ ବ୍ୟକ୍ତି ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ଭାରତ ଫେରିଛନ୍ତି। ଏକ୍ସରେ ପୋଷ୍ଟ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ-
‘ଅପରେସନ ଅଜୟ’ର ଷଷ୍ଠ ବିମାନ ନୂଆଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦରରେ ଯାତ୍ରୀମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଫଗ୍ଗନ ସିଂ କୁଲାଷ୍ଟେ।

ଏହାପୂର୍ବରୁ, ନେପାଳର ୧୮ନାଗରିକଙ୍କ ସମେତ ୨୮୬ ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସହର ଉପରେ ଆକ୍ରମଣ କରିବା ପରେ ଅକ୍ଟୋବର ୧୨ରେ ଇସ୍ରାଏଲରୁ ଭାରତୀୟ ଫେରିବା ପାଇଁ ‘ଅପରେସନ ଅଜୟ’ ଆରମ୍ଭ କରାଯାଇଥିଲା। ଅଦ୍ୟାବଧି ‘ଅପରେସନ ଅଜୟ’ ଅଧୀନରେ ୧୩୦୦ ରୁ ଅଧିକ ଲୋକ ଭାରତ ଫେରିଛନ୍ତି।

Share