Categories: ଜାତୀୟ

ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେଶନ୍‌ ଅଜୟ’ ଆରମ୍ଭ: ଆଜି ଯିବ ପ୍ରଥମ ଫ୍ଲାଇଟ୍‌

ନୂଆଦିଲ୍ଲୀ,୧୨।୧୦: ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ୍‌ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ଅନ୍ୟ ବ୍ୟବସ୍ଥା କରାଯାଇଛି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଫ୍ଲାଇଟ୍‌ ଯିବ।
ଯୁଦ୍ଧ ପ୍ରଭାବିତ ଇସ୍ରାଏଲର ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଡେସ୍କ ଖୋଲାଯାଇଛି। ସହାୟତା ପାଇଁ +୯୭୨-୩୫୨୨୬୭୪୮ ଏବଂ +୯୭୨-୫୪୩୨୭୮୩୯୨ ନମ୍ବରକୁ ଭାରତୀୟମାନେ ଫୋନ୍‌ କରିପାରିବେ। ଭାରତୀୟମାନଙ୍କୁ ସତର୍କ ରହି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲ ମାନିବାକୁ ପରାମର୍ଶ ଦିଆଯାଇଛି।

Share