Categories: ଜାତୀୟ

ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି, ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୧।୧୨: ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି ବୋଲି ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏଭଳି କହିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତଥା କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଘଟଣାରେ ୧୧୫ କଶ୍ମୀର ପଣ୍ଡିତ କଶ୍ମୀର ଛାଡିଛନ୍ତି। ସମସ୍ତ କଶ୍ମୀର ପଣ୍ଡିତ ନିଜ ପରିବାର ସହିତ ଜମ୍ମୁ ପଳାଇଛନ୍ତି।

ଜମ୍ମୁକୁ ଯାଇଥିବା କାଶ୍ମୀର ପଣ୍ଡିତମାନେ ସରକାରୀ କର୍ମଚାରୀ। ଶୀତ ଆରମ୍ଭରେ ସରକାରୀ କର୍ମଚାରୀମାନେ କଶ୍ମୀରରୁ ସ୍ଥାନାନ୍ତରିତ ହୋଇ ସରକାରୀ କାର୍ଯ୍ୟ, ଅଧ୍ୟୟନ ଏବଂ ଅନ୍ୟାନ୍ୟ କାରଣରୁ ଜମ୍ମୁକୁ ପ୍ରାୟତଃ ଯାଇଥାନ୍ତି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ଚଳାଉଥିବା ଅପରେଶନର ସୁଫଳ ଏବେ ଦେଖିବାକୁ ମିଳୁଛି। ଏହା ଯୋଗୁ ଅନୁପ୍ରବେଶ ଏବଂ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି।

୨୦୧୮ଠାରୁ ଅନୁପ୍ରବେଶ ଏବଂ ଆତଙ୍କବାଦୀ ଘଟଣା କମିବାରେ ଲାଗିଛି। ତଥ୍ୟ ଅନୁଯାୟୀ, ୨୦୧୮ରେ ସମୁଦାୟ ୧୪୩ ଟି ଅନୁପ୍ରବେଶ ଘଟଣା ଘଟିଛି। ସେହିପରି ୨୦୧୮ରେ ୪୧୭ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ଚଳିତ ୨୦୨୧ ବର୍ଷ ନଭେମ୍ବର ୨୧ ପର୍ଯ୍ୟନ୍ତ ୨୪୪ ଟି ଆତଙ୍କବାଦୀ ଘଟଣା ଘଟିଛି। ଅକ୍ଟୋବର ୨୦୨୦ ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସୁରକ୍ଷା ବାହିନୀର ୩୨ ଯବାନ ଏବଂ ଜମ୍ମୁ-କଶ୍ମୀର ପୋଲିସର ୧୯ କର୍ମଚାରୀ ପୃଥକ ପୃଥକ ଘଟଣାରେ ଶହୀଦ୍‌ ହୋଇଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଚରମପନ୍ଥୀ ତଥା ଉଗ୍ରବାଦୀମାନେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍‌ କରିଥିବା ସରକାର କହିଛନ୍ତି। ସରକାର କହିଛନ୍ତି ଯେ ୨୦୦୯ ତୁଳନାରେ ଉଗ୍ରବାଦ ଘଟଣାରେ ୭୦ ପ୍ରତିଶତ ହ୍ରାସ ଘଟିଛି। ୨୦୦୯ ରେ ୨,୨୫୮ ଘଟଣା ଘଟିଥିଲା । ଅପରପକ୍ଷରେ ୨୦୨୦ରେ ୬୬୫ଟି ଘଟଣାର ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ସରକାର କହିଛନ୍ତି।

Share