Categories: ଜାତୀୟ

ଅପରେଶନ ଧ୍ୱସ୍ତ: ୩୨୪ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୮ା୫: ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର-ନାର୍କୋ ମେଣ୍ଟ ବିରୋଧରେ ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ପଞ୍ଜାବ ଓ ହରିୟାଣା ପୋଲିସ ସହଯୋଗରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେଶନ ଧ୍ୱସ୍ତ’ ନାମ ଦିଆଯାଇଛି।
ପଞ୍ଜାବ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ଦିନ ତମାମ ହୋଇଥିବା ଚଢ଼ାଉ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ ଓ ନଗଦ ୩୯.୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ଏନ୍‌ଆଇଏ ୧୨୯ ସ୍ଥାନରେ ଚଢ଼ାଉ କରିଥିବାବେଳେ ପଞ୍ଜାବ ପୋଲିସ ୧୭ ଜିଲାର ୧୪୩ ସ୍ଥାନରେ ରେଡ୍‌ କରିଥିଲା। ହରିୟାଣା ପୋଲିସ ୧୦ ଜିଲାର ୫୨ ସ୍ଥାନରେ ଚଢ଼ାଉକରି ଛାନ୍‌ଭିନ୍‌ କରିଥିଲା। ଭୋର ୫ଟା ୩୦ରେ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଥିଲା। ଚଢ଼ାଉ ବେଳେ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆତଙ୍କବାଦୀ ଅର୍ଶ ଦଲ୍ଲା, ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ, ଛେନୁ ପେହଲଓ୍ବାନ, ଦୀପକ ତିତର, ଭୂପି ରାଣା, ବିକାଶ ଲଗାରପୁରିଆ, ଆଶିଷ ଚୌଧୁରୀ, ଗୁର୍‌ପ୍ରୀତ ସେଖୋନ୍‌, ଦିଲପ୍ରୀତ୍‌ ବାବା, ହରସିମରତ୍‌ ସିମ୍ମା ଏବଂ ଅରୁରାଧାଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟକୁ ଭାଙ୍ଗିବା ପାଇଁ ଅପରେଶନ ଧ୍ୱସ୍ତ କରାଯାଇଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।
ଧ୍ୱସ୍ତ ବେଳେ ମୁଖ୍ୟ ଫୋକସ୍‌ରେ ରହିଥିଲେ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ, ଫାଇନାନ୍ସର, ଲଜିଷ୍ଟିକ୍‌ ପ୍ରୋଭାଇଡର୍ସ ଏବଂ ହାଓ୍ବଲା ଅପରେଟର୍ସ। ଏମାନେ ପାକିସ୍ତାନ ଓ କାନାଡା ଭଳି ଦେଶଗୁଡ଼ିକରେ ରହି ଅପରେଟ୍‌ କରୁଥିବା ଡ୍ରଗ୍ସ ଚାଲାଣକାରୀ ଓ ଆତଙ୍କବାଦୀଙ୍କ ଯୋଗସୂତ୍ର ସ୍ଥାପନ କରି ଭାରତରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଗତବର୍ଷ ଅଗଷ୍ଟ ପରଠୁ ଟାର୍ଗେଟ ହତ୍ୟା, ଖଲିସ୍ତାନୀ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଅର୍ଥ ଅସୁଲି ଭଳି ଅନେକ ମାମଲା ଏନ୍‌ଆଇଏ ରୁଜୁ କରିଛି। ସେଗୁଡ଼ିକ ମଧ୍ୟରେ ସବୁଠୁ ଚର୍ଚ୍ଚିତ ହେଉଛି ମହାରାଷ୍ଟ୍ରର ବିଲ୍ଡର ସଞ୍ଜୟ ବିୟାନି, ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କ ହତ୍ୟା ମାମଲା। ଏହା ପୂର୍ବରୁ ଏନ୍‌ଆଇଏ ୨୩୧ ସ୍ଥାନରେ ଚଢ଼ାଉ କରିଥିଲା। ଅଦ୍ୟାବଧି ୮୭ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିବାବେଳେ ୧୩ ସମ୍ପତ୍ତି ବାଜ୍ୟାପ୍ତ୍‌ କରାଯାଇଛି। ସେହିପରି ୩୩୧ ଡିଜିଟାଲ ଡିଭାଇସ୍‌ ଏବଂ ୪୧୮ ଦସ୍ତାବିଜ ଓ କେତେକ ଯାନବାହନ ମଧ୍ୟ ଜବତ ହୋଇଛି।

Share