Categories: ଜାତୀୟ

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ଉଡ଼ାଣ ରବିବାର ଦିନ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନ ବନ୍ଦରରେ ଗୋଲାପ ଦେଇ ୟୁକ୍ରେନରୁ ଆଣିଥିବା ଭାରତୀୟମାନଙ୍କୁ ସ୍ବାଗତ କରିଛନ୍ତି।

ରୁଷିଆର ସେନାବାହିନୀର ଆକ୍ରମଣ ମଧ୍ୟରେ ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଏହି ଅପରେଶନ ଆରମ୍ଭ ହୋଇିଛି। ପ୍ରଥମ ଏଆଇ-୧୯୪୪ ବୁକାରେଷ୍ଟରୁ ମୁମ୍ବାଇକୁ ୨୧୯ ଜଣ ଲୋକଙ୍କୁ ଆଣିଥିଲା। ଦ୍ୱିିତୀୟ ବିମାନ ଏଆଇ-୧୯୪୨ରେ ରବିବାର ଭୋର୍‌ ପ୍ରାୟ ୨ଟା ୪୫ ସମୟରେ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି।

ଏୟାର ଇଣ୍ଡିଆର ତୃତୀୟ ବିମାନ ଏଆଇ-୧୯୪୦ ହଙ୍ଗେରୀର ରାଜଧାନୀ ବୁଦ୍ଧାପେଷ୍ଟରୁ ଉଡ଼ାଣ ଭରିଛି ଏବଂ ରବିବାର ଦିନ ୨୪୦ ଜଣ ଭାରତୀୟଙ୍କ ସହ ଦିଲ୍ଲୀ ଫେରିବ ବୋଲି ଆଶା କରାଯାଉଛି।
ଘରକୁ ଫେରିଥିବା ଲୋକଙ୍କୁ ସିନ୍ଧିଆ କହିଛନ୍ତି ଯେ, ମୁଁ ଜାଣେ ଯେ ଆପଣ ସମସ୍ତେ ଅତ୍ୟଧିକ କଷ୍ଟଦାୟକ ସମୟ ବିତାଇଛନ୍ତି। କିନ୍ତୁ ଜାଣି ରଖନ୍ତୁ ପ୍ରତ୍ୟେକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ସହିତ ଅଛନ୍ତି। ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହ ଅଛନ୍ତି ଏବଂ ପ୍ରତ୍ୟେକ ପଦକ୍ଷେପରେ ୧୩୦ କୋଟି ଭାରତୀୟ ଆପଣଙ୍କ ସହ ଅଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଆଲୋଚନା ଚାଲିଛି। ସେ କହିଛନ୍ତି ରୁଷିଆ ସରକାରଙ୍କ ସହ ମଧ୍ୟ ଆଲୋଚନା ଚାଲିଛି ଏବଂ ୟୁକ୍ରେନରୁ ପ୍ରତ୍ୟେକ ଭାରତୀୟ ଫେରିବା ପର୍ଯ୍ୟନ୍ତ ଏୟାର ଲିଫ୍ଟ ଜାରି ରହିବ।

ଏବେ ବି ୟୁକ୍ରେନ୍‌ରେ ପ୍ରାୟ ୧୬ ହଜାର ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀଛାତ୍ର।

 

Share