ଅପରେଶନ କାଭେରୀ ଆରମ୍ଭ: ସୁଦାନରୁ ସ୍ବଦେଶ ଫେରିବେ ୨୭୮ ଭାରତୀୟ…

ଖାର୍ତୁମ,୨୫।୪ : ହିଂସା ପ୍ରଭାବିତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ପରେ ଭାରତୀୟଙ୍କ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ଭାରତ ପକ୍ଷରୁ ଅପରେଶନ କାଭେରୀ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ, ପ୍ରଥମ ବ୍ୟାଚ ଭାରତୀୟମାନେ ସୁଦାନରୁ ଭାରତ ଫେରୁଛନ୍ତି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅପରେଶନ କାଭେରୀ ମାଧ୍ୟମରେ ଆଇଏନଏସ ସୁମେଧା ୨୭୮ ଜଣଙ୍କୁ ନେଇ ସୁଦାନରୁ ଜେଦା ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ହିଂସା ପ୍ରଭାବିତ ଦକ୍ଷିଣ ଆଫ୍ରିକା ଦେଶ ସୁଦାନର ଉଭୟ ଜେନେରାଲ ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଆମେରିକାର ବୈଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରାୟ ୧୦ ଦିନ ଧରି ଜାରି ରହିଥିବା ଗୃହଯୁଦ୍ଧରେ ଶହ ଶହ ଲୋକଙ୍କ ମୃତ୍ୟୁ ଏବଂ ବହୁ ସଂଖ୍ୟକ ବିଦେଶୀଙ୍କ ଦେଶ ଛାଡିବା ପରେ ଏହି ଅସ୍ତ୍ରବିରତି ଘୋଷଣା ହୋଇଛି।

ଏହାପୂର୍ବରୁ ଉଭୟ ପକ୍ଷରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଥିଲା। ଏହି ଅସ୍ତ୍ରବିରତି ୨୪ ଏପ୍ରିଲର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ପରବର୍ତ୍ତୀ ୭୨ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

Share